ଝାଡ଼ଖଣ୍ଡର ରହସ୍ୟମୟ 'ଟୁଟି ଝରନା' ଶିବ ମନ୍ଦିର: ଯେଉଁଠି ମା' ଗଙ୍ଗା ନିଜେ କରନ୍ତି ମହାଦେବଙ୍କ ଜଳାଭିଷେକ

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି। ସେହିଭଳି ଏକ ଅଦ୍ଭୁତ ଏବଂ ରହସ୍ୟମୟ ମନ୍ଦିର ହେଉଛି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଅବସ୍ଥିତ ଟୁଟି ଝରନା ମନ୍ଦିର। ଏହି ପ୍ରାଚୀନ ଶିବ ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏଠାରେ ଥିବା ଶିବଲିଙ୍ଗ ଉପରେ ବର୍ଷର ୧୨ ମାସ ଏବଂ ୨୪ ଘଣ୍ଟା ଲଗାତାର ପ୍ରାକୃତିକ ଭାବରେ ଜଳାଭିଷେକ ହେଉଥାଏ। ମାନ୍ୟତା ରହିଛି ଯେ ମାତା ଗଙ୍ଗା ସ୍ୱୟଂ ଭଗବାନ ଭୋଳାନାଥଙ୍କର ଏହି ଜଳାଭିଷେକ କରନ୍ତି।

ବ୍ରିଟିଶ ଅମଳରେ ହୋଇଥିଲା ଆବିଷ୍କାର

ଏହି ମନ୍ଦିରର ଇତିହାସ ବେଶ୍ ରୋଚକ। କୁହାଯାଏ ଯେ ୧୯୨୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ରେଳ ଲାଇନ୍ ବିଛାଇବା କାମ ଚାଲିଥିଲା। ସେହି ସମୟରେ ଜଳ ସନ୍ଧାନରେ ଖୋଳାଯାଉଥିବା ବେଳେ ମାଟି ତଳୁ ଏହି ମନ୍ଦିରଟି ମିଳିଥିଲା। ଖୋଦେଇ ପରେ ଦେଖାଯାଇଥିଲା ଯେ ମନ୍ଦିର ଭିତରେ ଏକ ଶିବଲିଙ୍ଗ ରହିଛି ଏବଂ ତା'ର ଠିକ୍ ଉପରେ ମାତା ଗଙ୍ଗାଙ୍କର ଏକ ଶ୍ୱେତ ରଙ୍ଗର ପ୍ରତିମୂର୍ତ୍ତି ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତା ଗଙ୍ଗାଙ୍କ ପ୍ରତିମୂର୍ତ୍ତିର ନାଭିରୁ ଜଳ ବାହାରି ତାଙ୍କ ହାତ ପାପୁଲି ଦେଇ ସିଧାସଳଖ ଶିବଲିଙ୍ଗ ଉପରେ ପଡ଼ୁଛି। ସେବେଠାରୁ ଏହାକୁ ଏକ ଚମତ୍କାର ଭାବରେ ଗ୍ରହଣ କରାଯାଇଛି।

ବିଜ୍ଞାନ ପାଇଁ ମଧ୍ୟ ଏକ ଅସମାହିତ ରହସ୍ୟ

ଶିବଲିଙ୍ଗ ଉପରେ ଅବିରତ ଖସୁଥିବା ଏହି ଜଳର ଉତ୍ସ କେଉଁଠି, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉନ୍ମୋଚନ କରିବାକୁ ଅନେକ ପ୍ରୟାସ କରିଛନ୍ତି, କିନ୍ତୁ କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ। ଏହା ସହିତ ମନ୍ଦିର ପରିସରରେ ଏକ ହ୍ୟାଣ୍ଡପମ୍ପ ମଧ୍ୟ ରହିଛି, ଯାହାକୁ ଚଳାଇବାକୁ ପଡ଼େ ନାହିଁ। ସେଥିରୁ ଆପେ ଆପେ ୨୪ ଘଣ୍ଟା ପାଣି ବାହାରୁଥାଏ। ଖରାଦିନେ ପାଖରେ ଥିବା ନଦୀ ଶୁଖିଯାଉଥିଲେ ସୁଦ୍ଧା ଏହି ହ୍ୟାଣ୍ଡପମ୍ପରୁ କେବେହେଲେ ପାଣି ବାହାରିବା ବନ୍ଦ ହୁଏ ନାହିଁ।

ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ

ସ୍ଥାନୀୟ ଲୋକ ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ମନ୍ଦିର ଆସ୍ଥାର ଏକ ବଡ଼ କେନ୍ଦ୍ର ପାଲଟିଛି। ଲୋକଙ୍କ ବିଶ୍ୱାସ ରହିଛି ଯେ, ଯେଉଁଠି ସ୍ୱୟଂ ଗଙ୍ଗା ମାତା ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି, ସେଠାରେ ଅନ୍ୟ କାହାର ଜଳାଭିଷେକ କରିବାର ଆବଶ୍ୟକତା ନାହିଁ। ବିଶେଷକରି ଶ୍ରାବଣ ମାସରେ ଏହି ଐତିହାସିକ ତଥା ରହସ୍ୟମୟ ମନ୍ଦିରରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ଜମିଥାଏ।

About The Author: Suryakanta