ବର୍ତ୍ତମାନ ଯୁବପିଢ଼ି ରୋଜଗାର କରିବା ପାଇଁ କେବଳ ଚାକିରି ଉପରେ ନିର୍ଭର କରୁନାହାନ୍ତି। କୌଣସି ଏକ ଜିନିଷର ଉତ୍ପାଦ କରିବା ପାଇଁ ନିଜେ ନିଜ ସମ୍ବଳ ଅନୁସାରେ ଏକ ବ୍ୟବସାୟ ଆରମ୍ଭ କରୁଛନ୍ତି। ଏହାକୁ କୁହାଯାଉଛି ଷ୍ଟାର୍ଟଅପ୍ କମ୍ପାନୀ। ଏହାଦ୍ବାରା ସେମାନେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇପାରୁଛନ୍ତି। ଏହି ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିବା ଦ୍ବାରା କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ, ଯାହା ଫଳରେ ବ୍ୟବସାୟ ବୃଦ୍ଧି ହୁଏ। ଆସନ୍ତୁ ଜାଣିବା।
– ପ୍ରଥମେ ଗୋଟିଏ ଭଲ ଉତ୍ପାଦ ସମ୍ପର୍କରେ ଯୋଜନା କରନ୍ତୁ। ତାହାକୁ ପୂରଣ କରିବା ପାଇଁ କ’ଣ ସବୁ ଆବଶ୍ୟକ, ସେ ସମ୍ପର୍କରେ ତଥ୍ୟ ଆହରଣ କରନ୍ତୁ। ଯୋଜନାବଦ୍ଧ ଭାେବ କାର୍ଯ୍ୟକଲେ ବ୍ୟବସାୟ ସଫଳ ହୁଏ।
-କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ତାହାର ବଜାର ପ୍ରବେଶ କିଭଳି କରିହେବ ଏବଂ ବର୍ତ୍ତମାନ ସେହି ଜିନିଷର ବଜାର ପରିସ୍ଥିତି କିଭଳି ଅଛି, ସେନେଇ ତଥ୍ୟ ସଂଗ୍ରହ କରନ୍ତୁ।
-ଉପରୋକ୍ତ ସମସ୍ତ ବିଷୟ ସ୍ଥିରୀକୃତ ହେବା ପରେ କମ୍ପାନୀର ନାମ ସମ୍ପର୍କରେ ବିଶେଷ ଧ୍ୟାନ ଦିଅନ୍ତୁ। ଆଜିର ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ନାମକରା କମ୍ପାନୀରେ ପରିଣତ ହୋଇପାରିବ। ତେଣୁ ପ୍ରଥମେ କମ୍ପାନୀର ନାମ ଓ ଲୋଗୋ ସହଜ ଓ ସରଳ ରଖିବାକୁ ଚେଷ୍ଟା କରନ୍ତୁ।
-ଷ୍ଟାର୍ଟଅପ୍ ଆରମ୍ଭ କରିବ ପୂର୍ବରୁ ଏକ ମଡେଲ୍ ପ୍ରସ୍ତୁତ କରନ୍ତୁ ଏବଂ କମ୍ପାନୀ ପକ୍ଷରୁ କ’ଣ ସବୁ ସେବା ଲୋକମାନଙ୍କ ପାଇଁ ରହିବ, ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ଏହାଦ୍ବାରା କମ୍ପାନୀକୁ କେତେ ଲାଭ ମିଳିବ, ସେ ସମ୍ପର୍କରେ ଚିନ୍ତା କରନ୍ତୁ। ଯଦି ଅଧିକ ଲାଭ ନ ମିଳୁଛି, ତେବେ କମ୍ପାନୀର ଉନ୍ନତି ପାଇଁ ଆଉ କିଛି ଯୋଜନା କରନ୍ତୁ।
-କମ୍ପାନୀ ଆରମ୍ଭ କରିବା ପୂର୍ବରୁ ନିଜର ପୁଞ୍ଜି ସହିତ ଜଣେ ଦକ୍ଷ ସହ ସଂସ୍ଥାପକଙ୍କୁ ଖୋଜନ୍ତୁ, ଯାହା ସହିତ ମିଳିମିଶି କମ୍ପାନୀର ହାନିଲାଭ ଭରଣା କରିହେବ। ଯେ କୌଣସି ବ୍ୟବସାୟ ହେଉ ନା କାହିଁକି, ସରକାରଙ୍କ ନିୟମ ଅନୁସାରେ ଉକ୍ତ କମ୍ପାନୀକୁ ରେଜିଷ୍ଟ୍ରୀ କରାଇନେବା ଆବଶ୍ୟକ।