ଟିଏମସିରେ ମହାସଙ୍କଟ: ଅଭିଷେକ ବାନାର୍ଜୀ ନିଜେ ଦଳ ଛାଡିବେ ନା ମମତା ବାହାର କରିବେ?

ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଦଳର ବରିଷ୍ଠ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀ ଏବେ ସିଧାସଳଖ ଦଳର ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଖୋଲା ବିଦ୍ରୋହ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ସେ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଏକ ବଡ଼ ଅଲ୍ଟିମେଟମ୍ ମଧ୍ୟ ଦେଇଛନ୍ତି, ଯାହା ବେଙ୍ଗଲ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଷେକଙ୍କ ଉପରେ ବର୍ଷିଲେ କଲ୍ୟାଣ

ଏକ ଆଇନଗତ ମାମଲାରୁ ନିଜକୁ ଓକିଲ ଭାବେ ହଟାଇ ଦିଆଯିବା ପରେ କଲ୍ୟାଣ ବାନାର୍ଜୀ ଏହାକୁ ନିଜର ସାର୍ବଜନୀନ ଅପମାନ ବୋଲି କହିଛନ୍ତି। ସେ ଅଭିଷେକଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଅଭିଷେକ ହେଉଛନ୍ତି ଜଣେ 'ଏସି ରୁମ୍'ରେ ରହୁଥିବା ପିଲା। ତାଙ୍କର ଅତ୍ୟଧିକ ଅହଂକାର ଯୋଗୁଁ ଆଜି ଦଳର ଏଭଳି ଦୟନୀୟ ଅବସ୍ଥା ହୋଇଛି। କଲ୍ୟାଣ ଅଭିଯୋଗ କରିଛନ୍ତି ଯେ ଅଭିଷେକ ସମସ୍ତଙ୍କୁ ନିଜର ଦରମାପ୍ରାପ୍ତ କର୍ମଚାରୀ ଭାବୁଛନ୍ତି ଏବଂ ବରିଷ୍ଠ ନେତାମାନଙ୍କୁ ସମ୍ମାନ ଦେବା ଜାଣିନାହାଁନ୍ତି।

ମମତାଙ୍କୁ ସିଧାସଳଖ ଅଲ୍ଟିମେଟମ୍

ଏହି ବିବାଦ ଏବେ ଏତେ ତୀବ୍ର ହୋଇଛି ଯେ କଲ୍ୟାଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସିଧାସଳଖ ସର୍ତ୍ତ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏବେ ଦିଦିଙ୍କୁ ଗୋଟିଏ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଦଳରେ କିଏ ରହିବ - ଅଭିଷେକ ନା ସେ ନିଜେ। ଯଦି ଦଳରେ ଅଭିଷେକ ରହନ୍ତି, ତେବେ ସେ ତୃଣମୂଳ କଂଗ୍ରେସ ଛାଡ଼ିଦେବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ବଢ଼ୁଛି ଅସନ୍ତୋଷ, ଦଳରେ ଫାଟ

୨୦୨୬ ବିଧାନସଭା ନିର୍ବାଚନରେ ଟିଏମସିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ଭିତରେ ଥିବା ଅସନ୍ତୋଷର ନିଆଁ ଏବେ ବିସ୍ଫୋରକ ରୂପ ନେଉଛି। କେବଳ କଲ୍ୟାଣ ନୁହଁନ୍ତି, ଲୋକସଭାରେ ଟିଏମସିର ସବୁଠାରୁ ବରିଷ୍ଠ ସାଂସଦ ସୌଗତ ରାୟ ମଧ୍ୟ ଦଳର ବର୍ତ୍ତମାନର ସ୍ଥିତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏବେ ମମତାଙ୍କ ସହ କଥା ହେବା ତ ଦୂରର କଥା, ତାଙ୍କୁ ଭେଟିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏପରି ସ୍ଥିତିରେ ଦଳ କିପରି ଚାଲିବ ସେ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଦଳର ଅନ୍ୟ କିଛି ନେତା ମଧ୍ୟ ଅଭିଷେକଙ୍କ ମନମୁଖୀ ଶାସନକୁ ଟାର୍ଗେଟ କରି କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜର ସ୍ବାର୍ଥ ପାଇଁ ସମ୍ପୂର୍ଣ୍ଣ ଦଳକୁ ଧ୍ୱଂସ କରିଦେଇଛନ୍ତି।

About The Author: Suryakanta