ରାଜସ୍ଥାନ: ବର୍ବରତାର ସୀମା ଟପିଲେ ଶାଶୂଘର ଲୋକେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ଗର୍ଭବତୀ ମହିଳାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ ସ୍ୱାମୀ ସମେତ ଶାଶୂଘର ଲୋକେ । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍ନାକୁ ଆସିଛି ଏପରି ଏକ ନିଷ୍ଠୁର ଘଟଣା । ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବୋହୂ ତାର ପ୍ରେମିକସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ବିବସ୍ତ୍ର କରି ବୁଲାଇଛନ୍ତି ଶାଶୁଘର ଲୋକେ । ଭିଡିଓ ଭାଇରାଲ ହେବା ପରେ ପୀଡିତାଙ୍କ ସ୍ୱାମୀ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।
ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହା ସଭ୍ୟ ସମାଜ ପ୍ରତି ଏକ କଳଙ୍କ । ଏହି ମାମଲାକୁ ଫାଷ୍ଟଟ୍ରାକରେ କୋର୍ଟରେ ବିଚାର କରାଯାଇ ଯଥାଶୀଘ୍ର ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଅଶୋକ ଗେହଲଟ୍ ।
କୁହାଯାଉଛି କି, ମହିଳା ଜଣକ ବିବାହ ସତ୍ତ୍ୱେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ । ଯାହାକୁ ନେଇ ମହିଳାଙ୍କ ଶାଶୁ ତାଙ୍କୁ ଅପହରଣ କରି ନେଇ ନିଜ ଗାଁରେ ଏଭଳି ଘଟଣା ଘଟାଇଥିଲେ । ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ୬ଟି ଟିମ୍ ଗଠନ କରିଛି । ଏହି ଲଜ୍ଜାଜନକ ଘଟଣାରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଚଳାଇଛି ।