ସିମଲା: ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ସରୁନି ଅଙ୍କକସା । ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ, ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାର୍ଟି ହାଇକମାଣ୍ଡଙ୍କ ଠାରୁ ଆରମ୍ଭ କରି ରାଜ୍ୟ ନେତା ଓ କର୍ମୀଙ୍କ ପାଇଁ ଖୁସି ଆଣି ଦେଇଛି। ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ଦଳ ମଧ୍ୟରେ ଚିନ୍ତା ବଢିଛି।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ତିନି ତିନ ଜଣ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଥିବାରୁ ଏହା ସ୍ଥିର କରିବା ଲାଗି ହାଇକମାଣ୍ଡ ଏବଂ ରାଜ୍ୟ ନେତାଙ୍କ ଟେନସନ ବଢିଛି। ଗୋଟିଏ ପକ୍ଷରେ ସାଂସଦ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ରହିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ବିରୋଧୀ ଦଳ ନେତା ରହିଆସିଥିବା ମୁକେଶ ଅଗ୍ନିହୋତ୍ରୀ ଏବଂ ବରିଷ୍ଠ ନେତା ସୁଖବିନ୍ଦର ସୁଖୁଙ୍କ ପାଇଁ ମଧ୍ୟ କିଛି ନେତା ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଦଳ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳୀୟ ନେତାଙ୍କ ମଧ୍ୟରେ ଏକପ୍ରକାର ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇଯାଇଛି। ଯାହାର ନମୁନା ଶୁକ୍ରବାର ଦେଖିବାକୁ ମିଳିଥିଲା ।
ପ୍ରତିଭା ସିଂଙ୍କ ସମର୍ଥକମାନେ ନିଜ ଦଳର ନେତାଙ୍କ କାରକୁ ରାସ୍ତାରେ ଅଟକାଇ ନିଜର ଦାବି ଜଣାଇଛନ୍ତି। ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତା ବଢିଛି। କାରଣ ଏହି ସୁଯୋଗରେ ବିଜେପି ଘୋଡ଼ା ବେପାର ଆରମ୍ଭ କରି ଦେବାର ଆଶଙ୍କା ରହିଥିବାରୁ ତୁରନ୍ତ ବିଧାୟକ ଦଳ ନେତା ସ୍ଥିର କରିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି। ଶୁକ୍ରବାର ସିମଳାଠାରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ବସିଥିଲା ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ବରିଷ୍ଠ ନେତା ଭୂପିନ୍ଦର ହୁଦା ପହଞ୍ଚିଥିଲେ। ସେମାନେ ବିଧାୟକମାନଙ୍କ ସହ ଆଲୋଚନା କରି ନେତା ବାଛିବା ଦିଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।
ତେବେ ବିଗତ ପାଞ୍ଚ ବର୍ଷ ଧରି ବିରୋଧୀ ଦଳ ନେତା ରହିଆସିଥିବା ମୁକେଶଙ୍କ ପାଇଁ ଦଳୀୟ ନେତାଙ୍କ ପକ୍ଷରୁ ଜୋରଦାର ଦାବି ହେଉଛି। ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂ ଏବେ ସାଂସଦ ରହିଥିଲା ବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି। ଅନ୍ୟ ପକ୍ଷରେ ମୁକେଶ ଏବଂ ସୁଖବିନ୍ଦର ବହୁ ଭୋଟ ବ୍ୟବଧାନରେ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ତୃଣମୂଳ ସ୍ତରରେ ଦଳୀୟ କର୍ମୀଙ୍କ ସହ ଏହି ଦୁଇ ନେତାଙ୍କ ସମ୍ପର୍କ ଦୃଢ ରହିଥିବାରୁ ସେମାନଙ୍କ ପାଇଁ ଦାବି ଜୋର ହୋଇଛି। କିନ୍ତୁ ପ୍ରତିଭାଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ଦାବିକୁ ନେଇ ଅଟଳ ରହିଛନ୍ତି।