ପ୍ରୟାଗରାଜ : କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପୁଲିସ ଏନ୍କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଛି। ତେବେ ମାଫିଆ ଡନ୍ ଅତିକ ଓ ଅସରଫଙ୍କୁ ତିନି ଯୁବକ କାହିଁକି ମାରିଲେ? ଏହା ଯୋଗୀ ସରକାର, ୟୁପି ପୋଲିସ ସହାୟତାରେ ତିନି ଯୁବକଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡ କି ଆଉ କିଛି କାରଣ ରହିଛି ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୂଲିସ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିବା ତିନିଜଣ ଯୁବକଙ୍କ ପରିଚୟ ଜଣାପଡିଛି । ଏହି ତିନି ଅଭିଯୁକ୍ତ ହେଉଛନ୍ତି ଲଭଲେସ ତିଓ୍ବାରୀ (୨୨), ମୋହିତ ଓରଫ୍ ସନି ସିଂହ (୨୩) ଓ ଅରୁଣ କୁମାର ମୌର୍ଯ୍ୟ (୧୮) ।
ଏହି ତିନି ଅଭିଯୁକ୍ତ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସିଥିଲେ । ଲଭଲେସ ତିଓ୍ବାରୀ ବାନ୍ଦା ଜିଲ୍ଲାର ହୋଇଥିବା ବେଳେ ସନି ସିଂହ ହମିରପୁର ଓ ଅରୁଣ କୁମାର ମୌର୍ଯ୍ୟ କାସଗଞ୍ଜ ନିବାସୀ ବୋଲି ଜଣାପଡ଼ିଛି । ୟୁପି ପୁଲିସ୍ ଓ ଏସଟିଏଫ୍ ଟିମ୍ ତିନିଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଜେରା ବେଳେ ସେମାନେ କହିଛନ୍ତି ଯେ ରାତାରାତି ବିଖ୍ୟାତ ହେବା ପାଇଁ ସେମାନେ ଅତିକ୍ ଏବଂ ଅଶରଫଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।
ଝାନସିରେ ହୋଇଥିବା ଏନକାଉଣ୍ଟରରେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଓ ତାର ସୁଟର ପାର୍ଟନର ଗୁଲାମ ନିହତ ହେବାର ଦୁଇ ଦିନ ପରେ ଶନିବାର ଦିନ ପ୍ରୟାଗରାଜରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ୍ ଓ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରମଣକାରୀ ଯୁବକମାନେ ସାମ୍ବାଦିକ ବେଶରେ ଆସିଥିଲେ । ପଚରାଉଚରା ବେଳେ ପୁଲିସକୁ ଅଭିଯୁକ୍ତ କହିଛନ୍ତି ଯେ ସେମାନେ ଅତିକ୍-ଅଶରଫ୍ ଗ୍ୟାଙ୍ଗର ମୂଳପୋଛ କରିବାକୁ ଚାହୁଁଥିଲେ । ମାଫିଆ ଜଗତରେ ନାଁ କରିବା ଉଦ୍ଦେଶ୍ୟରେ ଅତିକ୍ ଓ ତାଙ୍କ ଭାଇଙ୍କୁ ହତ୍ୟା କରିବାକୁ ସେମାନେ ଚାହୁଁଥିଲେ ।
ଅତିକ୍ ଓ ଅଶରଫ ହତ୍ୟା ନେଇ ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି । ପଚରାଉଚରା ବେଳେ ଏହି ତିନିଜଣ ପୁଲିସକୁ କହିଛନ୍ତି ଯେ, ଅତିକ୍ ଏବଂ ଅଶରଫଙ୍କୁ ପୁଲିସ ହେପାଜତକୁ ନିଆଯିବା ପରେ ଆମେ ନିଜକୁ ସ୍ଥାନୀୟ ସାମ୍ବାଦିକ ଭାବେ ପରିଚୟ ଦେଇ ମିଡ଼ିଆ ପ୍ରତନିଧିଙ୍କ ଭିଡ଼ରେ ରହି ଉଭୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲୁ। ତିନି ଅଭିଯୁକ୍ତ ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅତିକ୍ ଅହମ୍ମଦଙ୍କ ମୁଣ୍ଡକୁ ଗୁଳି କରିଥିବା ଲଭଲେସ ତିଓ୍ବାରୀ ଜଣେ ନିଶାସକ୍ତ ଯୁବକ ।
ଏହି ଚାଞ୍ଚଲ୍ୟକର ଘଟଣା ପରେ ଉତ୍ତର ପ୍ରଦେଶ ସବୁ ଜିଲ୍ଲାରେ ଧାରା ୧୪୪ ଜାରି କରାଯାଇଛି । ପ୍ରମୁଖ ସର୍ବସାଧାରଣ ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାକୁ ଅତି ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ୩ ବିଚାରପତି ଏହାର ତଦନ୍ତ କରିବେ ।
୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ଏବଂ ଚଳିତ ବର୍ଷ ଫେବୃଆରୀରେ ବିଏସପି ନେତାଙ୍କ ହତ୍ୟା ଘଟଣାରେ ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅତିକ୍ ଅହମ୍ମଦ । ତାଙ୍କ ନାଁରେ ୧୦୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଥିଲା ।