କେରଳର ୱାୟାନାଡରେ ବଡ଼ ଧରଣର ଭୂସ୍ଖଳନ: ଟନେଲ ପ୍ରକଳ୍ପ ନିକଟରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

କେରଳର ୱାୟାନାଡ ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ମଙ୍ଗଳବାର ଦିନ ଏଠାରେ ଏକ ନିର୍ମାଣାଧୀନ ଟନେଲ୍ ପ୍ରକଳ୍ପ ନିକଟରେ ଭୟଙ୍କର ଭୂସ୍ଖଳନ ହୋଇଛି, ଯେଉଁଥିରେ ଅନେକ ଲୋକ ମାଟି ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି।

ଟନେଲ ନିର୍ମାଣସ୍ଥଳରେ ଅଘଟଣ

ମିଳିଥିବା ସୂଚନା ଅନୁଯାୟୀ, ମେପ୍ପାଡି ନିକଟସ୍ଥ କଲ୍ଲାଡି ଅଞ୍ଚଳରେ ଥିବା ମୀନାକ୍ଷୀ ବ୍ରିଜ୍ ପାଖରେ ଏହି ଭୂସ୍ଖଳନ ହୋଇଛି। ଏହି ସ୍ଥାନରେ ୱାୟାନାଡ-ମାଲାପ୍ପୁରମ ଟନେଲ ରୋଡ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିଲା। ପ୍ରବଳ ବର୍ଷା କାରଣରୁ ପାହାଡ଼ର ଏକ ବଡ଼ ଅଂଶ ଖସିପଡ଼ିବାରୁ ଏହି ଅଘଟଣ ଘଟିଛି। କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (KSDMA)ଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ ଜଣ ଶ୍ରମିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କୌଣସି ପ୍ରାଣହାନିର ସୂଚନା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ତ୍ୱରାନ୍ୱିତ ହେଲା ଉଦ୍ଧାର କାର୍ଯ୍ୟ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏନଡିଆରଏଫ (NDRF), ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୀନାଙ୍ଗାଡି ଏବଂ କୋଝିକୋଡରୁ ଆସିଥିବା ସ୍ୱତନ୍ତ୍ର ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଟନେଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କିଛି ଯାନବାହନ ମଧ୍ୟ ମାଟି ତଳେ ପୋତି ହୋଇଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ କାଦୁଅ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି।

ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୂସ୍ଖଳନ ପରେ କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ ଏକ ଜରୁରୀକାଳୀନ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ରାଜସ୍ୱ ମନ୍ତ୍ରୀ ଏ.ପି. ଅନିଲ କୁମାର ଏବଂ ୱାୟାନାଡ ମନ୍ତ୍ରୀ ଟି. ସିଦ୍ଦିକିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗ ସହିତ ମିଶି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

About The Author: Suryakanta