ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁେମାଦନ କରିଛି । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ । ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଦୀର୍ଘ ସମୟ ଧରି ଆଲୋଚନା ପରେ ଗତକାଲି ରାତିର ତୃତୀୟ ପ୍ରହରରେ ବିଲ୍ ଉପରେ ମତଦାନ କରାଯାଇଥିଲା । ବିଲ୍ ସପକ୍ଷରେ ୧୨୮ ସାଂସଦ ମତଦାନ କରିଥିବା ବେଳେ ୯୫ ସାଂସଦ ଏହାର ବିରୋଧ କରିଥିଲେ ।
ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇଥିବା ବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ରାଜ୍ୟସଭାରେ ବିଲ୍ ଆଗତ କରିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆେଲାଚନାର ଉତ୍ତର ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ ସଂଶୋଧିତ ୱାକଫ୍ ଆଇନ ମୁସଲମାନଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ବିରୋଧୀ ଦଳ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୁସଲିମ ସଂପ୍ରଦାୟର ସ୍ବାର୍ଥର ସୁରକ୍ଷା ସହିତ ମୁସଲିମ ମହିଳା ସଶକ୍ତୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେ କହିଲେ ଯେ ୱାକଫ୍ ସଂପତ୍ତିର ସୁପରିଚାଳନା ଲାଗି ୱାକଫ ବୋର୍ଡ ଓ ପରିଷଦରେ ଅଣ ମୁସଲିମଙ୍କୁ ସଭ୍ୟ ରଖାଯାଇଛି । ବୋର୍ଡ/ପରିଷଦରେ ଏମାନଙ୍କ ସଂଖ୍ୟା ସୀମିିତ ରହିବ । ଅଧିକାଂଶ ସଭ୍ୟ ମୁସଲିମ ସଂପ୍ରଦାୟରୁ ହିଁ ରହିବେ । ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରାଯିବାର ପ୍ରଶ୍ନ ଉଠୁନାହିଁ ।
କିନ୍ତୁ ସରକାରଙ୍କ ଯୁକ୍ତି ସହ ସହମତ ହୋଇନାହାନ୍ତି ବିରୋଧୀ । ବିଲ୍ର ଜୋରଦାର ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ କହିଥିେଲ ଯେ ସମାଜରେ ବିଭାଜନ ସୃଷ୍ଟି କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । ଏହାଦ୍ବାରା ମୁସଲମାନଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେବ । ଅନେକ ବିରୋଧୀ ସଭ୍ୟ କଳାବ୍ୟାଜ୍ ପିନ୍ଧି ବିଲକୁ ବିରୋଧ କରିଥିଲେ । ମୁସଲିମ ଲିଗ୍ ଏବଂ ଏଲଡିଏଫ୍ ସାଂସଦ ଅଭିଯୋଗ କରିଥିଲେ ଯେ ମୁସଲମାନଙ୍କୁ ଅପମାନିତ କରିବା ସହିତ ଧର୍ମ ଭିତ୍ତିରେ ବିଭାଜନ ସୃଷ୍ଟି କରିବାକୁ ସରକାର ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ସଂଖ୍ୟାଲଘୁ ସଂପ୍ରଦାୟକୁ ହଇରାଣ କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । କଂଗ୍ରେସ ସାଂସଦ ସୟଦ ନସିର ହୁସେନ କହିଥିଲେ ଯେ ଏହି ବିଲ ହେଉଛି ଅସାମ୍ବିଧାନିକ ଏବଂ ଏହା ଜରିଆରେ ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି । ତୃଣମୂଳ କଂଗ୍ରେସ, ଡିଏମକେ, ଆରଜେଡି ଏବଂ ଆପ୍ ସାଂସଦ ମଧ୍ୟ ବିଲ୍ର ବିରୋଧ କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ଅଧ୍ୟକ୍ଷ ତଥା ଗୃହର ନେତା ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ କ୍ଷମତାରେ ଥିବା ବେଳେ କଂଗ୍ରେସ ମୁସଲମାନଙ୍କର କ୍ଷତି କରିଛି । ଏହା ମୁସଲିମ ମହିଳାଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ କରିଦେଇଥିଲା । ମୁସଲିମ ମହିଳା ସଶକ୍ତୀକରଣ ହେଉଛି ବିଲର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ସେ କହିଲେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହା ଜରୁରି ଥିଲା ।
ଅନ୍ୟପକ୍ଷରେ ବିଜେପିର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିବାରୁ ଦଳ ଭିତରେ ବିଦ୍ରୋହ ଦେଖାଦେଇଛି । ଜେଡିୟୁ ନିଷ୍ପତ୍ତିର ପ୍ରତିବାଦ ଜଣାଇ ଆଜି ଦୁଇ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ସେହିଭଳି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ୱାକଫ୍ ବିଲକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କୁ ସମର୍ଥନ ଜଣାଇଛି ବିଜେପିର ଅନ୍ୟତମ ସହଯୋଗୀ ଆନ୍ନାଡିଏମ୍କେ । ୱାକଫ ବିଲକୁ ପ୍ରତ୍ୟାହାର କରିବା ପାଇଁ ଏହି ଦଳ ଦାବି କରିଛି ।
ସୂଚନାଯୋଗ୍ୟ ଯେ ଗତକାଲି ଲୋକସଭାରେ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଛି । ସରକାରୀ ମେଣ୍ଟ ଏନ୍ଡିଏ ପାଖରେ ବିଲ୍ ପାସ୍ କରାଇବାକୁ ଆବଶ୍ୟକ ସଂଖ୍ୟା ରହିଥିଲା । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ଏନଡିଏ ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ । ଏନ୍ଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ୍ ସଭ୍ୟ (୧୧୭) ଥିବା ବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି । ମେଣ୍ଟରେ ବିଜେପିର ୯୮ ସଭ୍ୟ ଥିବା ବେଳେ ଜେଡିୟୁର ୪, ଏନ୍ସିପିର ୩, ଟିଡିପିର ୨, ଅନ୍ୟ ଦଳର ୧୦ ସଭ୍ୟ ଅଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଶିବିରରେ ମାତ୍ର ୮୮ ସଭ୍ୟ ରହିଛନ୍ତି । ଏଥିରେ କଂଗ୍ରେସର ୨୭,ଟିଏମସିର ୧୩, ଡିଏମ୍କେର ୧୦ ଓ ଆପ୍ର ୧୦ ସାଂସଦ ଅଛନ୍ତି । ୨୩ ଜଣ ସାଂସଦ ନିରପେକ୍ଷ ରହିଛନ୍ତି । ସେମାନେ ସରକାର କିମ୍ବା ବିରୋଧୀ ଶିବିରରେ ନାହାନ୍ତି ।