ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଦଙ୍ଗାକାରୀମାନେ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବେଳେ ପୋଲିସ ଭିଡ଼ ହଟାଇବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦୃଷ୍ଟିରୁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅନ୍ୟ ଅଞ୍ଚଳରୁ ପୋଲିସ ଫୋର୍ସ ମଧ୍ୟ ଡକାଯାଇଛି।
ପୋଲିସର ସୂଚନାନୁସାରେ, ବିଶ୍ବ ହିନ୍ଦୁ ପରିଷଦର ବ୍ରଜ ମଣ୍ଡଳ ଜଳାଭିଷେକ ଶୋଭାଯାତ୍ରାକୁ ନୁହର ଖେଡଲା ମୋର୍ ନିକଟରେ କିଛି ଯୁବକ ଅଟକାଇ ପଥରମାଡ଼ କରିଥିଲେ। ସେମାନେ ଏହି ଶୋଭାଯାତ୍ରାରେ ସାମିଲ ଦୁଇଟି କାରକୁ ମଧ୍ୟ ନିଆଁ ଜାଳି ଦେଇଥିଲେ। ଖବର ମୁତାବକ, ଏହି ଶୋଭାଯାତ୍ରାରେ ସାମିଲ ଲୋକମାନେ ସେମାନଙ୍କୁ ଅଟକାଇ ଥିବା ଯୁବକମାନଙ୍କ ଉପରେ ପାଲଟା ପଥରମାଡ଼ କରିଥିଲେ ।