ଆଜି ଉପରାଷ୍ଟ୍ରପତି ନିର୍ବାଚନ; ରାଧାକୃଷ୍ଣନ ବନାମ୍ ସୁଦର୍ଶନ…

ନୂଆଦିଲ୍ଲୀ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି ? ଏନ୍‌ଡିଏର ସିପି ରାଧାକୃଷ୍ଣନ ନା ଇଣ୍ଡିଆ ବ୍ଲକ୍‌ର ବି ସୁଦର୍ଶନ ରେଡ୍ଡୀ? ଆସନ୍ତାକାଲି ହେବାକୁ ଯାଉଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ। ସଂସଦ ଭବନରେ ମଙ୍ଗଳ ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟଗଣତି ହେବ ଏବଂ ସନ୍ଧ୍ୟାରେ ହିଁ ଫଳାଫଳ ଘୋଷଣା ହୋଇଯିବ। ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ୍ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ […]

ନୂଆଦିଲ୍ଲୀ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି ? ଏନ୍‌ଡିଏର ସିପି ରାଧାକୃଷ୍ଣନ ନା ଇଣ୍ଡିଆ ବ୍ଲକ୍‌ର ବି ସୁଦର୍ଶନ ରେଡ୍ଡୀ? ଆସନ୍ତାକାଲି ହେବାକୁ ଯାଉଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ। ସଂସଦ ଭବନରେ ମଙ୍ଗଳ ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟଗଣତି ହେବ ଏବଂ ସନ୍ଧ୍ୟାରେ ହିଁ ଫଳାଫଳ ଘୋଷଣା ହୋଇଯିବ।

ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ୍ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବ। ଏବେ ଲୋକସଭା ଏବଂ ରାଜ୍ୟସଭାର ମୋଟ୍ ସଭ୍ୟସଂଖ୍ୟା ୭୮୧ ଥିବା ବେଳେ ଜିତିବା ପାଇଁ ଦରକାର ୩୯୧ଟି ଭୋଟ୍। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପାଖରେ ୪୨୨ ସଭ୍ୟଙ୍କ ସମର୍ଥନ ଥିବାରୁ ଏହାର ପ୍ରାର୍ଥୀ ରାଧାକୃଷ୍ଣନ ବିଜୟୀ ହେବାର ସମ୍ଭାବନା ଅଧିକ। ୱାଇଏସ୍‌ଆର୍‌ପିର ୧୧ ଜଣ ସାଂସଦ ମଧ୍ୟ ରାଧାକୃଷ୍ଣନଙ୍କୁ ସମର୍ଥନ ଘୋଷଣା କରିଥିବାରୁ ସମର୍ଥକଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍ ସଭ୍ୟସଂଖ୍ୟା ୩୧୨ ରହିଥିବା ବେଳେ ଆପ୍‌ର ୧୨ ଜଣ ସାଂସଦ ସୁଦର୍ଶନ ରେଡୀ(୭୯)ଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ବିରୋଧୀ ପ୍ରାର୍ଥୀଙ୍କ ସପକ୍ଷରେ ୩୨୪ ସଭ୍ୟଙ୍କ ସମର୍ଥନ ରହିଛି। ସୁତରାଂ, ସରକାରୀ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଆବଶ୍ୟକ ଠାରୁ ୪୨ଟି ଅଧିକ ଭୋଟ୍ ଥିବା ବେଳେ ବିରୋଧୀ ପ୍ରାର୍ଥୀଙ୍କ ପାଖରେ ୫୭ଟି ଭୋଟ୍ କମ୍ ରହିଛି। ଏହି ନିର୍ବାଚନରେ ବିଜେଡି ଏବଂ ବିଆରଏସ୍ ମତଦାନରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି। ସଂସଦରେ ବିଜେଡିର ୭ ଜଣ ଏବଂ ବିଆର୍‌ଏସ୍‌ର ୪ ଜଣ ସଦସ୍ୟ ଅଛନ୍ତି। ଯଦି ସମସ୍ତ ବିରୋଧୀ ସାଂସଦ ସେମାନଙ୍କ ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦିଅନ୍ତି, ତାହାହେଲେ ପରାଜିତ ପ୍ରାର୍ଥୀ ହିସାବରେ ରେଡ୍ଡୀଙ୍କୁ ସର୍ବାଧିକ ଭୋଟ୍ ମିଳିବ। ଏହାପୂର୍ବରୁ ପରାଜିତ ପ୍ରାର୍ଥୀ ସୁଶୀଲ କୁମାର ସିନ୍ଧେଙ୍କୁ ସର୍ବାଧିକ ୩୦୫ ଭୋଟ୍ ମିଳିଥିଲା। ସେହିଭଳି ବିଜୟୀ ପ୍ରାର୍ଥୀ ହିସାବରେ ଧନଖଡ଼ ସର୍ବାଧିକ ୫୨୮ ଭୋଟ୍ ପାଇଥିବା ବେଳେ ଭେଙ୍କିୟା ନାଇଡ଼ୁ ୫୧୬ ଭୋଟ୍ ପାଇଥିଲେ। ଉଭୟ ସରକାରୀ ଓ ବିରୋଧୀ ଦଳ ନିର୍ବାଚନ ପୂର୍ବରୁ ମକଡ୍ରିଲ୍ କରିଛନ୍ତି। ଭୋଟ୍ ଯେମିତି ନାକଚ ନ ହୁଏ, ସେଥିଲାଗି ସାଂସଦମାନଙ୍କୁ ତାଲିମ୍ ଦେଇଛନ୍ତି। ୨୦୧୭ରେ ୧୧ଟି ଭୋଟ୍ ନାକଚ ହୋଇଥିବା ବେଳେ ୨୦୨୨ରେ ୧୫ ଏବଂ ୧୯୯୭ରେ ସର୍ବାଧିକ ୪୬ଟି ଭୋଟ୍ ନାକଚ ହୋଇଥିଲା।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ପାଇଁ ଦଳମାନଙ୍କ ପକ୍ଷରୁ ହୁଇପ୍ ଜାରି କରାଯିବାର ବ୍ୟବସ୍ଥା ନାହିଁ। ତେଣୁ ମତଦାନ ବେଳେ କ୍ରସଭୋଟିଂ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି୤ ଗତ ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଅଚାନକ ଇସ୍ତଫା ଦେବାପରେ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଛି।

About The Author: The Sakala