ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ।
ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପରାଷ୍ଟ୍ରପତି ମେ’ଫେୟାର ସାଙ୍କଚୁଆରୀ କନଭେନସନ ହଲ୍ରେ ୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ ପ୍ରୋଗ୍ରାମ ବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନବନିର୍ବାଚିତ ବିଧାୟକମାନଙ୍କୁ ଗୃହର ପରିଚାଳନା, ନିୟମାବଳୀ, ସଂସଦୀୟ ପ୍ରକ୍ରିୟା ଏବଂ କମିଟି ବ୍ୟବସ୍ଥା ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରିବା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ନଭେମ୍ବର ୧୮ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନଭେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଛି।
ଭୁବନେଶ୍ୱରରେ ନିଜର କାର୍ଯ୍ୟକ୍ରମ ଶେଷ କରିବା ପରେ ଉପରାଷ୍ଟ୍ରପତି କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର (ଏକାଡେମିକ ବିଲଡିଂ) ଉଦଘାଟନ କରିବେ। ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।