ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ । ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖଭାଗ ଭାଙ୍ଗିଯାଇଛି। ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଗୁଜରାଟ ବଲସାଡର ଅତୁଲ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ଏହି ଟ୍ରେନ ଶନିବାର ମୁମ୍ବାଇ-ସେଣ୍ଟ୍ରାଲରୁ ଗୁଜରାଟର ଗାନ୍ଧିନଗର ଅଭିମୁଖେ ଯାଉଥିଲା। ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନ ଅନ୍ତର୍ଗତ ଅତୁଲ ଷ୍ଟେସନ ନିକଟରେ ବନ୍ଦେ ଭାରତ ଟ୍ରେନ ଆଗକୁ ଅଚାନକ ଏକ ଗାଈ ଚାଲି ଆସିଥିଲା । ଗାଈ ସହିତ ଧକ୍କା ହେବା ପରେ ଟ୍ରେନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣାରେ ଟ୍ରେନର କପଲର କଭର କ୍ଷତିଗ୍ରସ୍ତ ହୋଇଛି। ଟ୍ରେନର ସମ୍ମୁଖଭାଗ ସାମାନ୍ୟ ଭାଙ୍ଗିଥିବା ବେଳେ ଆଉ କୌଣସି କ୍ଷତି ହୋଇନାହିଁ । ଏହି ଘଟଣା ସକାଳ ଆଜି ୮ଟା ୧୭ ମିନିଟରେ ହୋଇଛି। ଘଟଣା ପରେ ୧୫ ମିନିଟ୍ ଧରି ଟ୍ରେନଟି ଅଟକି ରହିଥିଲା। ପରେ ଟ୍ରେନ ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରିଥିଲା।
ତେବେ ଏହି ରାସ୍ତାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ନୂଆ କଥା ନୁହେଁ । ପୂର୍ବରୁ ଦୁଇଥର ଟ୍ରେନ ଗୃହପାଳିତ ପଶୁଙ୍କୁ ଧକ୍କା ଦେଇଥିବାର ନଜିର ରହିଛି। ପୂର୍ବରୁ ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।