ୱାସିଂଟନ : ଭାରତ ସହ ଆମେରିକା ଡବଲ୍ ଗେମ୍ ଖେଳୁଛି। ଭାରତକୁ ଧମକ ଦେବାର ୧୨ ଘଣ୍ଟା ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିନ୍ତୁ ତାଙ୍କ ବାଣିଜ୍ୟମନ୍ତ୍ରୀ ହାଭାର୍ଡ ଲୁଟ୍ନିକ ଭାରତକୁ ଧମକ ଦେଇଛନ୍ତି। ସେ ଭାରତ ପାଇଁ ତିନି ସର୍ତ୍ତ ରଖିଛନ୍ତି। ଏହି ତିନୋଟି ସର୍ତ୍ତ ମାନିଲେ ଭାରତ ଉପରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଯିବ। ଭାରତକୁ ରୁଷ୍ ତୈଳ କ୍ରୟ ବନ୍ଦ କରିବାକୁ ହେବ ଏବଂ ବ୍ରିକ୍ସ ଗୋଷ୍ଠୀରୁ ଅଲଗା ହେବାକୁ ପଡ଼ିବ। ଏହାସହିତ ଆମେରିକାକୁ ସମର୍ଥନ ଦେବାକୁ ହେବ ବୋଲି ଲୁଟ୍ନିକ କହିଛନ୍ତି।
ସେ ବ୍ଲୁମ୍ବର୍ଗ ଟିଭିକୁ ସାକ୍ଷାତକାର ଦେଇ ଶୁକ୍ରବାର ଏହି ଟିପ୍ପଣୀ ଦେଇଥିଲେ। ଏଥିରୁ ଆମେରିକା ରାଷ୍ଟ୍ରପତିଙ୍କ କହିବା ଏବଂ କରିବାରେ ଆକାଶ ପାତାଳ ଫରକ ଥିବା ଜଣାପଡୁଛି। ଟ୍ରମ୍ପ ନିଜେ ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରସ୍ତୁତ ଥିବା ନେଇ କହୁଥିବା ବେଳେ ତାଙ୍କ ମନ୍ତ୍ରୀ ଏଥିରେ ବ୍ରେକ୍ ଲଗାଉଛନ୍ତି। ଲୁଟ୍ନିକ କହିଥିଲେ ଯେ ଯଦି ରୁଷ୍ ଏବଂ ଚୀନ୍ ମଧ୍ୟରେ ଭାରତ ସେତୁ ହେବାକୁ ଚାହୁଁଛି ତେବେ ହେଉ। କିନ୍ତୁ ଭାରତକୁ ଡଲାରକୁ କିମ୍ବା ଆମେରିକାକୁ ସମର୍ଥନ କରିବାକୁ ହେବ। ନୂଆଦିଲ୍ଲୀ ନିଜର ସବୁଠାରୁ ବଡ଼ ଗ୍ରାହକକୁ ସମର୍ଥନ କରୁ କିମ୍ବା ୫୦ ପ୍ରତିଶତ ଶୁଳ୍କ ଦେଉ। ତେବେ ଭାରତ ଖୁବଶୀଘ୍ର ଆମେରିକା ସହ ଦ୍ବିପାକ୍ଷିକ ବାଣିଜ୍ୟ ଆଲାଚନାରେ ସାମିଲ ହେବ ବୋଲି ଆମେରିକା ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଆମେରିକା ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦ ରହିଛି ସତ, କିନ୍ତୁ ଖୁବଶୀଘ୍ର ଭାରତ କ୍ଷମା ମାଗି ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଟେବୁଲକୁ ଆସିବ ବୋଲି ଲୁଟ୍ନିକ କହିଛନ୍ତି। ମାସେ ଦୁଇ ମାସ ଭିତରେ ଏଭଳି ହେବ। ଟ୍ରମ୍ପଙ୍କ ସହ ନୂଆ ଚୁକ୍ତି କରିବା ପାଇଁ ଭାରତ ପ୍ରୟାସ କରିବ। ଏହି ଚୁକ୍ତି ମଧ୍ୟ ଟ୍ରମ୍ପଙ୍କ ସର୍ତ୍ତରେ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଚୂଡ଼ାନ୍ତ ରୂପ ଦେବେ ବୋଲି ଲୁଟନିକ କହିଛନ୍ତି।