ଆମେରିକା ସପ୍ତାହନ୍ତରେ ଇରାନର ଗୋରୁକ୍ ଏବଂ କେଶମ୍ ଦ୍ୱୀପ ଠାରେ ଥିବା ରାଡାର୍ ଏବଂ ଡ୍ରୋନ୍-ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିଛି। ଆମେରିକୀୟ ସେନା ଏହାକୁ ଆତ୍ମରକ୍ଷାମୂଳକ ଆକ୍ରମଣ ବୋଲି ବର୍ଣ୍ଣନା କରିଛି। ତେହେରାନର ଆକ୍ରାମକ ବ୍ୟବହାରର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆମେରିକା ପକ୍ଷରୁ ରବିବାର ଦିନ ସ୍ପଷ୍ଟ କରାଯାଇଛି। ଆନ୍ତର୍ଜାତୀୟ ଜଳରାଶି ଉପରେ ଉଡ଼ାଣ ଭରୁଥିବା ଏକ ଆମେରିକୀୟ ଏମକ୍ୟୁ-୧ (MQ-1) ଡ୍ରୋନ୍ କୁ ଇରାନ ଗୁଳି କରି ଖସାଇ ଦେବା ପରେ ଏହି ତିକ୍ତତା ଦେଖାଦେଇଛି।
ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ର ସୂଚନା
ଏକ୍ସ (X) ରେ ଏକ ପୋଷ୍ଟ କରି ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ଆମେରିକୀୟ ଯୁଦ୍ଧବିମାନଗୁଡ଼ିକ ଜବାବରେ ଇରାନର ବାୟୁ-ପ୍ରତିରକ୍ଷା ବ୍ୟବସ୍ଥା, ଏକ ଗ୍ରାଉଣ୍ଡ-କଣ୍ଟ୍ରୋଲ୍ ଷ୍ଟେସନ୍ ଏବଂ ଦୁଇଟି ୱାନ୍-ୱେ ଆଟାକ୍ ଡ୍ରୋନ୍ କୁ ନଷ୍ଟ କରିଦେଇଛନ୍ତି। ସେଣ୍ଟକମ୍ ସ୍ପଷ୍ଟ କରିଛି ଯେ ଏହି ଆକ୍ରମଣରେ କୌଣସି ଆମେରିକୀୟ ସୈନିକ ମୃତାହତ ହୋଇନାହାଁନ୍ତି। ଚାଲିଥିବା ଯୁଦ୍ଧବିରତି ସମୟରେ ଇରାନର ଅଯୌକ୍ତିକ ଆକ୍ରମଣର ଜବାବ ଦେବା ସହିତ ଆମେରିକାର ସମ୍ପତ୍ତି ଏବଂ ସ୍ୱାର୍ଥର ସୁରକ୍ଷା ଜାରି ରହିବ ବୋଲି ସେଣ୍ଟକମ୍ ଦୃଢ଼ୋକ୍ତି ପ୍ରକାଶ କରିଛି।
ଇରାନର ପାଲଟା ଜବାବ
ଅନ୍ୟପକ୍ଷରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ସୋମବାର ଦିନ ଦାବି କରିଛି ଯେ ଏହାର ଏରୋସ୍ପେସ୍ ଫୋର୍ସ ଏକ ବିମାନ ଘାଟି ଉପରେ ଆକ୍ରମଣ କରିଛି, ଯାହା ଆମେରିକାର ବୋଲି ସନ୍ଦେହ କରାଯାଉଛି। ଇରାନର ହରମୋଜଗାନ୍ ପ୍ରଦେଶ ଅନ୍ତର୍ଗତ ସିରିକ୍ ଦ୍ୱୀପ ରେ ଥିବା ଏକ ଟେଲିକମ୍ୟୁନିକେସନ୍ ଟାୱାର ଉପରେ ଆମେରିକା ଆକ୍ରମଣ କରିଥିଲା, ଯାହାର ପାଲଟା ଜବାବରେ ଇରାନ ଏହି ବିମାନ ଘାଟି ଉପରେ ଆକ୍ରମଣ କରିଛି ବୋଲି ଇରାନ ଇଣ୍ଟରନ୍ୟାସନାଲ୍ ରିପୋର୍ଟ କରିଛି। ତେବେ ଇରାନ ଏହି ଆକ୍ରମଣ ହୋଇଥିବା ବିମାନ ଘାଟିର ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।