ଆମେରିକାର ଏକ ଫେଡେରାଲ କୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା H-1B ଭିସା ପାଇଁ ଲାଗୁ କରାଯାଇଥିବା ୧,୦୦,୦୦୦ ଡଲାର (ପ୍ରାୟ ୮୩ ଲକ୍ଷ ଟଙ୍କା) ଆବେଦନ ଫି'କୁ ମାସାଚୁସେଟ୍ସର ବୋଷ୍ଟନ କୋର୍ଟ ବେଆଇନ ଘୋଷଣା କରିବା ସହ ରଦ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଆମେରିକାରେ କାମ କରୁଥିବା ହଜାର ହଜାର କୁଶଳୀ ଭାରତୀୟ ପେସାଦାର ଓ ଅନ୍ୟ ପ୍ରବାସୀମାନେ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି।
ଟ୍ରମ୍ପଙ୍କ ନିଷ୍ପତ୍ତି କ'ଣ ଥିଲା?
ଗତ ବର୍ଷ ସେପ୍ଟେମ୍ବର ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାର ଆବେଦନ ଫି'କୁ ହାରାହାରି ୨,୦୦୦ ଡଲାରରୁ ବୃଦ୍ଧି କରି ସିଧାସଳଖ ୧,୦୦,୦୦୦ ଡଲାର କରିଦେଇଥିଲେ। ଆମେରିକାରେ କାମ କରିବା ପାଇଁ ଯେଉଁ କମ୍ପାନୀମାନେ କୁଶଳୀ ବିଦେଶୀ କର୍ମଚାରୀଙ୍କୁ ସ୍ପୋନ୍ସର କରନ୍ତି, ସେମାନଙ୍କୁ ଏହି ବର୍ଦ୍ଧିତ ଫି' ଦେବାକୁ ପଡ଼ୁଥିଲା। ଆମେରିକୀୟ ନାଗରିକଙ୍କ ନିଯୁକ୍ତି ଯେପରି ପ୍ରଭାବିତ ନ ହୁଏ ଏବଂ କମ୍ପାନୀଗୁଡ଼ିକ ଯେପରି ବିଦେଶୀ କର୍ମଚାରୀଙ୍କ ଉପରେ କମ୍ ନିର୍ଭର କରନ୍ତି, ସେହି ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଏପରି ଏକ କଠୋର ପଦକ୍ଷେପ ନେଇଥିଲେ।
ଏହା ପୂର୍ବରୁ ଡିସେମ୍ବର ୨୦୨୫ ରେ ୱାଶିଂଟନ୍ ଡିସିର ଅନ୍ୟ ଏକ ଫେଡେରାଲ କୋର୍ଟ, ୟୁଏସ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଏହି ଫି' ବୃଦ୍ଧି ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ବର୍ତ୍ତମାନ ବୋଷ୍ଟନ କୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବ ରାୟକୁ ପରିବର୍ତ୍ତନ କରିଦେଇଛି।
ଭାରତୀୟଙ୍କ ପାଇଁ ଏହାର ଅର୍ଥ କ'ଣ?
ନୂତନ ରାୟ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେରିକାରେ H-1B ଭିସା ପାଉଥିବା ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ଆମେରିକା ପ୍ରଶାସନର ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ଅନୁମୋଦିତ ହୋଇଥିବା ମୋଟ H-1B ଭିସାରୁ ପ୍ରାୟ ୭୦ ପ୍ରତିଶତ ଭିସା କେବଳ ଭାରତୀୟ କର୍ମଚାରୀଙ୍କୁ ମିଳିଥିଲା। ଏହା ପରେ ଚୀନ୍ ନାଗରିକଙ୍କ ସ୍ଥାନ ରହିଥିଲା, ଯେଉଁମାନେ ମାତ୍ର ୧୧ ରୁ ୧୨ ପ୍ରତିଶତ ଭିସା ପାଇଥିଲେ।
ଏହି ପ୍ରୋଗ୍ରାମ ଯୋଗୁଁ ଆମେରିକାରେ ଭାରତୀୟ-ଆମେରିକୀୟମାନେ ସର୍ବୋଚ୍ଚ ଶିକ୍ଷିତ ଏବଂ ସର୍ବାଧିକ ରୋଜଗାର କରୁଥିବା ଗୋଷ୍ଠୀ ଭାବରେ ଉଭା ହୋଇପାରିଛନ୍ତି ବୋଲି 'ଦି ଅଦର ୱାନ ପରସେଣ୍ଟ' ନାମକ ଏକ ଅଧ୍ୟୟନରେ ଦର୍ଶାଯାଇଥିଲା। ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ଆଇଟି ପେସାଦାର ଏବଂ ଆମେରିକାରେ କାର୍ଯ୍ୟରତ ବିଭିନ୍ନ ଟେକ କମ୍ପାନୀଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ଏକ ବଡ଼ ଆଶ୍ୱସ୍ତି ମିଳିବ। ଏହା ଦ୍ୱାରା ନୂତନ ପ୍ରତିଭାମାନଙ୍କ ପାଇଁ ଆମେରିକାରେ କାମ କରିବାର ସୁଯୋଗ ମଧ୍ୟ ପୂର୍ବ ପରି ସହଜ ହୋଇପାରିବ।