ଆମେରିକାର ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ବା ଯୁଦ୍ଧପୋତ ୟୁଏସଏସ ଅବ୍ରାହମ ଲିଙ୍କନ (USS Abraham Lincoln) ଏକ ଲମ୍ବା ମିଶନ ଶେଷ କରି ଥାଇଲାଣ୍ଡରେ ପହଞ୍ଚିଛି। ମଧ୍ୟପ୍ରାଚ୍ୟରେ ଇରାନ ବିରୋଧୀ ଅଭିଯାନରେ ସାମିଲ ଥିବା ଏହି ଯୁଦ୍ଧପୋତ ୨୫୦ ଦିନରୁ ଅଧିକ ସମୟ ଧରି ସମୁଦ୍ରରେ ମୁତୟନ ଥିଲା। ଏହି ବିଶାଳ ଜାହାଜରେ ପ୍ରାୟ ୫,୦୦୦ ଆମେରିକୀୟ ସୈନିକ ଏବଂ ମେରାଇନ୍ସ ଅଛନ୍ତି, ଯେଉଁମାନେ ଦୀର୍ଘ ମାସର କଠିନ ପରିଶ୍ରମ ପରେ ଏବେ ଥାଇଲାଣ୍ଡରେ କିଛି ସମୟ ବିଶ୍ରାମ ନେବେ। ବୁଧବାର ସକାଳେ ଏହି ଯୁଦ୍ଧପୋତ ଥାଇଲାଣ୍ଡର ପଟାୟା ସହର ନିକଟସ୍ଥ ଲାଏମ ଚାବାଙ୍ଗ ବନ୍ଦରରେ ଡକ୍ କରିଛି।
ଇରାନ ବିରୋଧୀ ଅଭିଯାନରେ ଥିଲା ସାମିଲ
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦୨୫ରୁ କାଲିଫର୍ଣ୍ଣିଆରୁ ବାହାରିଥିବା ଏହି ଯୁଦ୍ଧପୋତ ପ୍ରଥମେ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ହୋଇଥିଲା। ପରବର୍ତ୍ତୀ ସମୟରେ ଇରାନ ସହ ତିକ୍ତତା ବୃଦ୍ଧି ପାଇବା କାରଣରୁ ଏହାକୁ ମଧ୍ୟପ୍ରାଚ୍ୟକୁ ପଠାଯାଇଥିଲା। ପ୍ରାୟ ୯ ମାସ ଧରି ବିନା କୌଣସି ପୋର୍ଟରେ ଅଟକି ଏହା ନିରନ୍ତର ସମୁଦ୍ରରେ ନିଜର ଦାୟିତ୍ୱ ତୁଲାଇଥିଲା। ଗତ ଅଗଷ୍ଟ ମାସରେ ୟୁଏସଏସ ଜର୍ଜ ୱାସିଂଟନ ଏହାର ସ୍ଥାନ ନେବା ପରେ ଅବ୍ରାହମ ଲିଙ୍କନ ଆମେରିକା ଫେରିବା ଆରମ୍ଭ କରିଛି। ଲଗାତାର ୨୫୦ରୁ ଅଧିକ ଦିନ ସମୁଦ୍ରରେ ରହିବା ଯୋଗୁଁ କ୍ରୁ ସଦସ୍ୟଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସାମଗ୍ରୀର ଅଭାବକୁ ନେଇ କିଛି ଚିନ୍ତାଜନକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଥିଲା।
ଥାଇଲାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଦୀର୍ଘଦିନର କଠିନ ପରିଶ୍ରମ ପରେ ୫,୦୦୦ ସୈନିକଙ୍କୁ ଆରାମ ଏବଂ ମନୋରଞ୍ଜନର ସୁଯୋଗ ଦେବା ପାଇଁ ଏହି ଷ୍ଟପ୍ ରଖାଯାଇଛି। ସୈନିକମାନେ ପଟାୟା ସହରରେ କିଛି ଦିନ ବିତାଇବେ, ଯାହା ଆମେରିକୀୟ ସୈନିକମାନଙ୍କ ପାଇଁ ଏକ ପାରମ୍ପରିକ ବିଶ୍ରାମ ସ୍ଥଳୀ ଭାବେ ପରିଚିତ। ଏତେ ସଂଖ୍ୟକ ବିଦେଶୀ ସୈନିକଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଏଠାରେ କିଛି ଦିନ ବିଶ୍ରାମ ନେବା ପରେ ସମସ୍ତ ସୈନିକ ଏବଂ ଯୁଦ୍ଧପୋତ ଆମେରିକା ଫେରିଯିବେ ବୋଲି ଜଣାପଡିଛି।