ଥାଇଲ୍ୟାଣ୍ଡ-କାମ୍ବୋଡିଆ ସୀମାରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ଭାରତର କଡ଼ା ନିନ୍ଦା

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏକ ପ୍ରାଚୀନ ହିନ୍ଦୁ ଦେବତାଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସୀମା ଦାବି ସତ୍ତ୍ୱେ ଏଭଳି ଅପମାନଜନକ କାର୍ଯ୍ୟ ବିଶ୍ୱବ୍ୟାପୀ ଅନୁଗାମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥାଏ ଏବଂ ଏଭଳି ଘଟଣା ଘଟିବା ଆଦୌ ଉଚିତ ନୁହେଁ।

ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, "ହିନ୍ଦୁ ଏବଂ ବୌଦ୍ଧ ଦେବଦେବୀମାନେ ଏହି ଅଞ୍ଚଳର ଲୋକମାନଙ୍କ ଦ୍ୱାରା ଗଭୀର ଭାବରେ ପୂଜା ପାଆନ୍ତି। ଏହା ଆମର ସାଝା ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ।" ଏଭଳି ପରିସ୍ଥିତିରେ ଐତିହ୍ୟ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାରତ ଦର୍ଶାଇଛି।

ଏହି ବିବାଦର ସମାଧାନ ପାଇଁ ଭାରତ ଉଭୟ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆକୁ ପୁନର୍ବାର ଆଲୋଚନା ଏବଂ କୂଟନୈତିକ ମାର୍ଗ ଆପଣାଇବାକୁ ଅନୁରୋଧ କରିଛି। ଶାନ୍ତି ଫେରାଇ ଆଣିବା ସହ ଜୀବନ, ସମ୍ପତ୍ତି ଏବଂ ଐତିହ୍ୟର ଆଉ ଯେପରି କୌଣସି କ୍ଷତି ନହୁଏ, ସେଥିପାଇଁ ଉଭୟ ପକ୍ଷ ଯତ୍ନବାନ ହେବା ଆବଶ୍ୟକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

About The Author: Madhusudan Das