ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ପ୍ରସ୍ତାବିତ ସିଂହସ୍ଥ କୁମ୍ଭ ମେଳା ୨୦୨୮ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଧ୍ୟପ୍ରଦେଶର ଉଜ୍ଜୈନରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୋମବାର ସକାଳେ ଐତିହାସିକ ଶାହୀ ମସଜିଦ୍ର ଏକ ଅଂଶ ଭଙ୍ଗାଯିବା ସମୟରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ପୋଲିସ ଉପରକୁ ପଥର ମାଡ଼ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ

ରିପୋର୍ଟ ଅନୁଯାୟୀ, ରାସ୍ତା ପ୍ରଶସ୍ତୀକରଣ ପାଇଁ ମସଜିଦର ପ୍ରାୟ ୯ ଫୁଟ୍ ଲମ୍ବ ଏବଂ ୪ ଫୁଟ୍ ଚଉଡ଼ା ଅଂଶକୁ ଭାଙ୍ଗିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିଲା। ଏହି ସମୟରେ ମୁସଲିମ ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ପଥର ମାଡ଼ରେ କିଛି ପୋଲିସ କର୍ମୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

୧୦ ଜଣଙ୍କୁ ଅଟକ ରଖିଲା ପୋଲିସ

ହିଂସା ଏବଂ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରୁ ୫ ଜଣ ସୋସିଆଲ ମିଡିଆ ମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରି ପରିବେଶ ଖରାପ କରିବାକୁ ଚେଷ୍ଟା କରୁଥିଲେ। ଅନ୍ୟ ୫ ଜଣ ବାହାର ଅଞ୍ଚଳର ଲୋକ, ଯେଉଁମାନେ ଉଜ୍ଜୈନରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସହରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ ରାପିଡ୍ ଆକ୍ସନ୍ ଫୋର୍ସ (RAF) ସମେତ ପାଖାପାଖି ୨,୫୦୦ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଏହାଛଡ଼ା ଛତ୍ରୀ ଛକ ଏବଂ ଗୋପାଳ ମନ୍ଦିର ଅଞ୍ଚଳରେ ବାରିକେଡ୍ ଲଗାଯାଇ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୮ ସିଂହସ୍ଥ କୁମ୍ଭ ମେଳା ପାଇଁ କନ୍ଥାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ୧୫ ମିଟର ପର୍ଯ୍ୟନ୍ତ ଚଉଡ଼ା କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୬୦ଟି ଢାଞ୍ଚାକୁ ହଟାଯିବାର ଥିଲା, ଯେଉଁଥିରେ ଏହି ଶାହୀ ମସଜିଦ୍ ମଧ୍ୟ ସାମିଲ ରହିଛି।

About The Author: Suryakanta