ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି ।
ଏହା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତିନି ଦିନିଆ ଛୁଟି ଘୋଷଣା କରାଯା ଇଛି । କହିରଖୁ କି, ୨୦୦୪ ମସିହାରୁ ଖଲିଫା ରାଷ୍ଟ୍ରପତି ଭାର ସମ୍ଭାଳି ଆସିଥିଲେ । ଯେବେକି ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦାୟିତ୍ୱରେ ଥିଲେ । ଶେଖ ଖଲିଫା ବିନ ଜାୟଦ ୧୯୪୮ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବିର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବିର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ ।
ତେବେ ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ସେହିପରି ନିୟମ ଅନୁସାରେ ୩୦ ଦିନ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।