ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ପୂର୍ବତନ ବିଚାରପତି ତଥା ଶାଶୁ ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ, ମାଗିଲା ୫ ଦିନିଆ ରିମାଣ୍ଡ

ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଦିନ ସିବିଆଇ ତ୍ୱିଷାଙ୍କ ଶାଶୁ ତଥା ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତଦନ୍ତକାରୀ ସଂସ୍ଥା ଏହି ପଦକ୍ଷେପ ନେଇଛି।

କୋର୍ଟରେ ହାଜର ଏବଂ ରିମାଣ୍ଡ ଦାବି

ଶୁକ୍ରବାର ଦିନ ସିବିଆଇ ଗିରିବାଳା ସିଂହଙ୍କୁ ଭୋପାଳର ଏକ ସ୍ଥାନୀୟ କୋର୍ଟରେ ହାଜର କରିବ। ଅଧିକ ପଚରାଉଚରା ଏବଂ ତଦନ୍ତ ପାଇଁ ତାଙ୍କୁ ୫ ଦିନିଆ ହେପାଜତ (ରିମାଣ୍ଡ)ରେ ନେବାକୁ ସିବିଆଇ ଦାବି କରିବ ବୋଲି ସୂଚନା ମିଳିଛି। ତଦନ୍ତକାରୀ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରମାଣ ନଷ୍ଟ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇବା ପାଇଁ ଉଦ୍ୟମ କରାଯାଇଛି, ଯାହାର ଗଭୀର ଖୋଳତାଡ଼ କରାଯିବ।

ସ୍ୱାମୀ ସମର୍ଥ ସିଂହଙ୍କ ଉପରେ କଡ଼ା ନଜର

ଅନ୍ୟପଟେ, ତ୍ୱିଷାଙ୍କ ସ୍ୱାମୀ ସମର୍ଥ ସିଂହ ମଧ୍ୟ ସିବିଆଇ ହେପାଜତରେ ଅଛନ୍ତି। କୋର୍ଟରେ ହାଜର କରିବା ପୂର୍ବରୁ ସିବିଆଇ ତାଙ୍କର ଡାକ୍ତରୀ ମାଇନା କରାଇଛି। ତାଙ୍କର ରିମାଣ୍ଡ ଅବଧି ଶେଷ ହେଉଥିବାରୁ, ସିବିଆଇ ଅଧିକ ତଦନ୍ତ ପାଇଁ ସମୟସୀମା ବୃଦ୍ଧି କରିବାକୁ ଆବେଦନ କରିପାରେ।

କେମିତି ଥିଲା ଘଟଣାକ୍ରମ?

ସୂଚନାଯୋଗ୍ୟ ଯେ, ଗତ ମେ' ୧୨ ତାରିଖରେ ଭୋପାଳର କାଟାରା ହିଲ୍ସ ସ୍ଥିତ ଶାଶୁ ଘରେ ୩୩ ବର୍ଷୀୟା ମଡେଲ ତଥା ଅଭିନେତ୍ରୀ ତ୍ୱିଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ଅଭିଯୋଗ ଆଣିଥିଲେ ତ୍ୱିଷାଙ୍କ ପରିବାର। ବର୍ତ୍ତମାନ ସିବିଆଇ ଫରେନ୍ସିକ ଟିମ୍ ସହାୟତାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ହ୍ୱାଟ୍ସଆପ୍ ଚାଟ୍ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମିଳିଥିବା ୬ଟି ଆଘାତର ତଦନ୍ତ କରୁଛି।

About The Author: Suryakanta