କାବୁଲ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବିଗିଡିବାରେ ଲାଗିଛି। ତାଲିବାନୀଙ୍କ ଆତଙ୍କ ଏବଂ କୃରତାକୁ ଭୟ କରି ଲୋକମାନେ ଦେଶ ଛାଡୁଥିବା ନଜର ଆସୁଛି। କିନ୍ତୁ ବିଶ୍ବ ସମୁଦାୟ ଆଗରେ ନିଜର ଭାବମୂର୍ତ୍ତିକୁ ସଜାଡିବା ପାଇଁ ତାଲିବାନୀମାନେ ନିଜକୁ ପରିବର୍ତ୍ତନ କରିଥିବା କଥା କହୁଛନ୍ତି। କିନ୍ତୁ ଏହି ଆତଙ୍କୀ ସଂଗଠନର କଥା ଓ କାର୍ଯ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ । ୨୦ ବର୍ଷ ତଳେ ଯେଉଁ କ୍ରୁରତା ଥିଲା ଏବେବି ମଧ୍ୟ ତାହା ଅଛି । ଦେଶକୁ ଶାସନ କରିବା ପୂର୍ବରୁ ଏବେ ବିଶ୍ବ ସମୁଦାୟର ଆସ୍ଥା ଭାଜନ ପାଇଁ ପ୍ରତିଦିନ ଆତଙ୍କୀ ନିଜର ପକ୍ଷ ରଖୁଛି । ଏପରି କି ଦେଶରେ ଗଣମାଧ୍ୟମକୁ ସ୍ବାଧିନତା ମିଳିବ ବୋଲି ଘୋଷଣା କରିଥିଲା । କିନ୍ତୁ ତାହା ପରିଲକ୍ଷିତ ହେଉନାହିଁ। ଗଣମାଧ୍ୟମ ଅଫିସରେ ପଶି ତାଲିବାନୀମାନେ ବନ୍ଧୁକ ମୁନରେ ଉପସ୍ଥାପକଙ୍କୁ ରଖି ତାଙ୍କ ସପକ୍ଷରେ ଖବର ଉପସ୍ଥାପନ କରିବାକୁ ଇସାରା କରୁଥିବା ଭିଡିଓ ଭାଇରାଲ୍ ହୋଇଛି।
ଭାଇରାଲ ହୋଇଥିବା ଭିଡିଓରେ ବନ୍ଧୁକ ମୁନରେ ଟିଭି ସମ୍ବାଦଦାତା। ଚାରିପଟେ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନୀ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କ ପଛରେ ଠିଆ ହୋଇଛନ୍ତି, ଆଉ ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଲିବାନୀମାନଙ୍କ ବନ୍ଧୁକ ମୁନରେ ରହି ଖବର ଉପସ୍ଥାପନ କରୁଥିବା ଉପସ୍ଥାପକ ଜଣଙ୍କ ନିଜେ ଭୟଭୀତ ରହିଥିବା ବେଳେ ଇସଲାମିକ ଏମିରେଟସକୁ ନେଇ ଦେଶବାସୀ ଆତଙ୍କିତ ହେବାର କାରଣ ନାହିଁ । ପରୋକ୍ଷରେ ତାଲିବାନର ଏହି ପଦକ୍ଷେପ ଇଙ୍ଗିତ କରୁଛି ଯେ ଗଣମାଧ୍ୟମର ପୂର୍ଣ୍ଣ କଣ୍ଠରୋଧ କରାଯାଇଛି ଏବଂ ସେମାନଙ୍କ ଇଚ୍ଛାନୁସାରେ ଗଣମାଧ୍ୟମ ପରିଚାଳିତ ହେବ । ଲେଡି ଆଙ୍କରମାନଙ୍କୁ ଚାନେଲରେ କାମ କରିବା ନେଇ ନିଷେଧାଦେଶ ଜାରି କରାଯାଇଥିବାବେଳେ ଅନେକ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ।
କିଛି ସାମ୍ବାଦିକ ତାଲିବାନୀ ଆକ୍ରମଣରେ ଆହତ ହୋଇଛନ୍ତି । କିଛି ଦିନ ତଳେ ଟୋଲୋ ନ୍ୟୁଜର ରିପୋର୍ଟର, କ୍ୟାମେରା ମ୍ୟାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା । କାବୁଲ ଓ ନଙ୍ଗହାରରେ ବିଶେଷ କରି ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି । କିଛି ସ୍ଥାନରେ ତାଲିବାନ ବିଭିନ୍ନ ସାମ୍ବାଦିକଙ୍କ ଘରେ ରେଡ କରୁଛି । କିଛି ଦିନ ତଳେ ଜଣେ ଜର୍ମାନୀ ସାମ୍ବାଦିକଙ୍କ ପରିବାରର ସଦସ୍ୟଙ୍କୁ ତାଲିବାନୀ ହତ୍ୟା କରିଥିଲେ ।