ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତୀୟ ଅର୍ଥନୀତିର ଭୂୟସୀ ପ୍ରଶଂସା କରିଛନ୍ତି। ଭାରତର ୭ ପ୍ରତିଶତ ଜିଡିପି (GDP) ଅଭିବୃଦ୍ଧି ହାରକୁ ଉଦାହରଣ ଭାବେ ଦର୍ଶାଇ ସେ ନିଜ ଦେଶର କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ ରିଜର୍ଭ'ର ନୀତିକୁ କଡ଼ା ସମାଲୋଚନା କରିଛନ୍ତି।

ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଭାରତରେ ସୁଧ ହାର କମ୍ ରହିଥିବାରୁ ସେଠାରେ ଆର୍ଥିକ ଅଭିବୃଦ୍ଧି ୭ ପ୍ରତିଶତରେ ପହଞ୍ଚିଛି। ଯଦି ଆମେରିକା ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରେ, ତେବେ ଦେଶର ଜିଡିପି ୧୪, ୧୫ କିମ୍ବା ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ସେ ଆମେରିକାର ଫେଡେରାଲ ରିଜର୍ଭକୁ ଏକ 'ରାଜନୈତିକ' ସଂସ୍ଥା ଭାବେ ଅଭିହିତ କରି ସୁଧ ହାର ହ୍ରାସ କରିବାକୁ ଦାବି କରିଛନ୍ତି।

ଟ୍ରମ୍ପଙ୍କ ଅନୁଯାୟୀ, ଯେତେବେଳେ ଦେଶର ଆର୍ଥିକ ତଥ୍ୟ ସକରାତ୍ମକ ରହେ, ସେତେବେଳେ ସୁଧ ହାର ହ୍ରାସ କରାଯିବା ଉଚିତ। ଏହାଦ୍ୱାରା ଦେଶର ଋଣ ପରିଶୋଧ କରିବାର କ୍ଷମତା ବୃଦ୍ଧି ପାଇବ। ମାତ୍ର ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଇ ଦେଶର ଆର୍ଥିକ ପ୍ରଗତିରେ ବାଧା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଯୋଗୁଁ ଅନେକ ଦେଶ ଆର୍ଥିକ ସଫଳତା ପାଇଛନ୍ତି, ତେଣୁ ଆମେରିକାରେ ସୁଧ ହାର ସର୍ବନିମ୍ନ ହେବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ଆମେରିକାରେ ମୁଦ୍ରାସ୍ଫୀତି ହାର ଫେଡେରାଲ ରିଜର୍ଭର ଧାର୍ଯ୍ୟ ୨% ଲକ୍ଷ୍ୟଠାରୁ ଅଧିକ ରହିଛି। ସେପ୍ଟେମ୍ବର ମାସରେ ପିସିଇ (PCE) ମୁଦ୍ରାସ୍ଫୀତି ୩.୬% ଥିବାବେଳେ କୋର ମୁଦ୍ରାସ୍ଫୀତି ୩.୧% ରେକର୍ଡ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ଏହି ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କିଛି ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଜଣେ ଶକ୍ତିଶାଳୀ ନେତା ବା 'ଦମ୍ଭ ବ୍ୟକ୍ତି' ଭାବେ ପ୍ରଶଂସା କରିଥିଲେ।

About The Author: Suryakanta