ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା

ଆମେରିକାରେ କାମ କରୁଥିବା ହଜାର ହଜାର ଭାରତୀୟ ପେସାଦାରଙ୍କ ପାଇଁ ଏକ ବଡ଼ ଖବର। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ (Donald Trump) ପ୍ରଶାସନ ପକ୍ଷରୁ ଦୁଇଟି ନୂତନ ଇମିଗ୍ରେସନ୍ ବା ପ୍ରବାସୀ ନିୟମ ଲାଗୁ କରାଯାଇଛି, ଯାହା ବିଦେଶୀ ପେସାଦାରମାନଙ୍କର ଆମେରିକାରେ କାମ କରିବାର କ୍ଷମତା ଉପରେ ଗଭୀର ପ୍ରଭାବ ପକାଇବ। ଏହି ଦୁଇଟି ନିୟମ ମୁଖ୍ୟତଃ H-1B ଭିସା (H-1B Visa) ଧାରକ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରବର୍ଗଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ।

ୱର୍କ ପରମିଟ୍ ବା ଏମ୍ପ୍ଲୟମେଣ୍ଟ୍ ଅଥରାଇଜେସନ୍ ଡକ୍ୟୁମେଣ୍ଟ୍ (EAD) ନିୟମ

ପୂର୍ବ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିଜର ୱର୍କ ପରମିଟ୍ (Work Permit) ର ଅବଧି ଶେଷ ହେବା ପୂର୍ବରୁ ନବୀକରଣ (Renewal) ପାଇଁ ଆବେଦନ କରୁଥିଲେ, ତେବେ ନୂଆ ପରମିଟ୍ ନଆସିବା ପର୍ଯ୍ୟନ୍ତ ସେମାନେ ୫୪୦ ଦିନ ଯାଏଁ ସେଠାରେ କାମ ଜାରି ରଖିପାରୁଥିଲେ। ମାତ୍ର ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଏହି ସୁବିଧାକୁ ରଦ୍ଦ କରିଦେଇଛନ୍ତି। ଏଣିକି ଯଦି ଆବେଦନକାରୀଙ୍କ ନୂଆ ପରମିଟ୍ ଆସିବାରେ ବିଳମ୍ବ ହୁଏ ଏବଂ ପୁରୁଣା ପରମିଟ୍ ର ଅବଧି ସରିଯାଏ, ତେବେ ସେମାନଙ୍କୁ କାମରୁ ବିରତ ରହିବାକୁ ପଡ଼ିବ। ଏହି ନିୟମ ବିଶେଷ କରି H-1B ଭିସା ଧାରକଙ୍କ ଜୀବନସାଥୀ ମାନଙ୍କୁ ସର୍ବାଧିକ ପ୍ରଭାବିତ କରିବ।

ପୁରୁଣା ଭିସା ଅନୁମୋଦନରେ "ଡେଫେରେନ୍ସ" (Deference) ନୀତି ପ୍ରତ୍ୟାହାର

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ପୂର୍ବ ଭିସା ଅନୁମୋଦନଗୁଡ଼ିକ ଉପରେ ଥିବା "ଡେଫେରେନ୍ସ" (Deference) ବା ଅନୁପାଳନ ନୀତିକୁ ରଦ୍ଦ କରିବାକୁ ଯାଉଛନ୍ତି। ପୂର୍ବରୁ, ଯେତେବେଳେ ଜଣେ ଭାରତୀୟ ପେସାଦାର ନିଜର H-1B ଭିସା ର ଅବଧି ୩ ବର୍ଷ ବୃଦ୍ଧି ପାଇଁ ଆବେଦନ କରୁଥିଲେ ଏବଂ ତାଙ୍କର ନିଯୁକ୍ତିଦାତା ସମାନ ରହୁଥିଲେ, ଇମିଗ୍ରେସନ୍ ଅଧିକାରୀମାନେ ପୁରୁଣା ମଞ୍ଜୁରୀକୁ ଆଧାର କରି ବିନା କୌଣସି ଅତିରିକ୍ତ ଯାଞ୍ଚରେ ଅବଧି ବଢ଼ାଇ ଦେଉଥିଲେ। ମାତ୍ର ଏହି ନୂଆ ପ୍ରସ୍ତାବ ଲାଗୁ ହେଲେ, ପ୍ରତିଥର ନବୀକରଣ ବେଳେ ଆବେଦନଗୁଡ଼ିକୁ ସମ୍ପୂର୍ଣ୍ଣ ନୂଆ ଭାବେ କଡ଼ା ଯାଞ୍ଚ କରାଯିବ। ଏହା ଫଳରେ ଅଧିକ କାଗଜପତ୍ର ଦରକାର ହେବ ଏବଂ ଭିସା ଅବଧି ବୃଦ୍ଧି ପାଇଁ ଅଧିକ ସମୟ ଲାଗିବ।

ଭାରତୀୟ ପେସାଦାର ଏବଂ ଆମେରିକୀୟ ଅର୍ଥନୀତି ଉପରେ ପ୍ରଭାବ

ଏହି ନିୟମଗୁଡ଼ିକ ଯୋଗୁଁ ଆମେରିକାରେ କାର୍ଯ୍ୟରତ ହଜାର ହଜାର ଭାରତୀୟ ଏବଂ ସେମାନଙ୍କ ପରିବାରର ଆୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। କେବଳ ଭାରତୀୟ ନୁହଁନ୍ତି, ଏହି ନୂଆ ନିୟମ ଆମେରିକାର ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ର ଏକ ଆକଳନ ଅନୁଯାୟୀ, କର୍ମଚାରୀ ଅଭାବ ଏବଂ ଉତ୍ପାଦନ କ୍ଷମତା ହ୍ରାସ କାରଣରୁ ଆଗାମୀ ୧୮ ମାସ ମଧ୍ୟରେ ଆମେରିକୀୟ ନିଯୁକ୍ତିଦାତାମାନଙ୍କୁ ପ୍ରାୟ ୪୫୦ ନିୟୁତ ଡଲାରର କ୍ଷତି ସହିବାକୁ ପଡ଼ିପାରେ।

About The Author: Suryakanta