ଶ୍ରୀନଗର : ଶନିବାର ସନ୍ଧ୍ୟାରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ଭାରତୀୟ ବାୟୁସେନାର ଏକ କନଭୟ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପୁଞ୍ଚର ସୁରାନକୋଟରେ ହୋଇଛି। ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କଚ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ସେଠାରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ରେ ସୁରନକୋଟ ଥାନା ଅନ୍ତର୍ଗତ ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ଯାଉଥିବା ବେଳେ ବାୟୁସେନାର ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ହମଲା ସମ୍ପର୍କରେ ଖବର ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇ ଯାଇଛି। ଏବେ ସେଠାରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି।
ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ୫ ଯବାନ ଆହତ ହୋଇଥିବା ବେଳେ ଏବେ ବି ଗୁଳି ବିନିମୟ ଚାଲିଛି। ଆହତ ଯବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତବର୍ଷ ସେନା ଉପରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଏହି ଅଞ୍ଚଳରେ ଚଳିତ ବର୍ଷ ଏହା ହେଉଛି ସଶସ୍ତ୍ର ବାହିନୀ ଉପରେ ପ୍ରଥମ ବଡ଼ ଧରଣର ଆକ୍ରମଣ।