ଇମ୍ଫାଲ : ମଣିପୁରରେ ବିଗତ ୬ ଦିନ ହେଲା ଲାଗି ରହିଥିବା ହିଂସା ରବିବାର କିଛି ପରିମାଣରେ ଥମିଛି। ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର୯୬ ଘଣ୍ଟା ଧରି ଅହରହ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ନିଜ କର୍ତ୍ତବ୍ୟରୁ ଓହରି ନାହିଁ ବୋଲି ଯବାନମାନଙ୍କ ଭୂମିକାକୁ ପ୍ରଶଂସା କରାଯାଇ କୁହାଯାଇଛି। କେବଳ ସେତିକି ନୁହେଁ, ହିଂସା ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ସେନା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଭାଗରୁ ୨୩ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ସେନା କ୍ୟାମ୍ପରେ ଲୋକମାନଙ୍କୁ ରଖାଯାଇ ସେମାନଙ୍କୁ ସେବା ଯୋଗାଇ ଦିଆଯାଉଛି। ରାଜ୍ୟର ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁର ସବୁଠାରୁ ସ୍ପର୍ଶକାତର ରହିଥିବାରୁ ଏହି ଦୁଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେନା ପକ୍ଷରୁ ଏବେ ମଧ୍ୟ ଫ୍ଳାଗମାର୍ଚ୍ଚ ଜାରି ରହିଛି। କିନ୍ତୁ ଅନ୍ୟ ବହୁ ଜିଲ୍ଲାରେ ସ୍ଥିତିରେ ପରିବର୍ତ୍ତନ ଘଟିଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ରାତି ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା କୁହାଯାଇଛି। ରବିବାର କୌଣସି ଠାରେ ହିଂସା ଘଟି ନାହିଁ। ଏହାସତ୍ତ୍ବେ ବିଭିନ୍ନ ସ୍ଥାନରେ ସେନା ସତର୍କ ରହିଛି। ରାଜ୍ୟର ସମସ୍ତ ସ୍ପର୍ଶକାତର ଅଞ୍ଚଳରେ ମାନବବିହୀନ ବିମାନ ଦ୍ବାରା ସ୍ଥିତି ଉପରେ ନଜର ରଖାଯିବା ସହିତ ଆବଶ୍ୟକସ୍ଥଳେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାବ୍ୟତୀତ ରବିବାର ଆଉ କିଛି କମ୍ପାନୀ ଫୋର୍ସ ମଣିପୁର ପଠାଯାଇଛି।
ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଗତକାଲି ଅନୁରୋଧ କରିଥିଲେ। ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ସହିତ ଏଥିରେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଦଳର ନେତା ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାରରୁ ଅଧିକ ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଥିଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ କେନ୍ଦ୍ରୀୟ ସହାୟତା ଲୋଡାଯାଇଥିଲା।
ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ମଣିପୁର ଦଙ୍ଗାକୁ ନେଇ ସୁପ୍ରିମକୋର୍ଟରେ ୩ଟି ପିଟିସନ ଫାଇଲ ହୋଇଥିବା ବେଳେ ଆଜି ତାହାର ଶୁଣାଣି ହେବ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ପିଏସ ନରସିଂମା ଏବଂ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ୩ ଜଣିଆ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିବ । ଏହି ୩ଟି ପିଟିଶନ ମଧ୍ୟରୁ ଗୋଟିଏରେ ଜଣେ ବିଜେପି ଏମଏଲଏ ମୈତୈ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ହାଇକୋର୍ଟଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରିଛନ୍ତି। ଏହାବାଦ ଏହି ଦଙ୍ଗା ଘଟଣାର ଏସଆଇଟି ତଦନ୍ତ ପାଇଁ ଆଉ ଏକ ପିଟିଶନ ଫାଇଲ ହୋଇଛି।
ଅପରପକ୍ଷେ, କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଜି କିଶନ ରେଡ୍ଡି ଏହି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି। ସରକାର ପ୍ରସ୍ତୁତ ଅଛନ୍ତି, ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣ ଆଗଭର ହୁଅନ୍ତୁ ବୋଲି ସେ ଟ୍ୱିଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜାତିଗତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ମଣିପୁରର କୁକି ଆଦିବାସୀ ସଂପ୍ରଦାୟ ଏବଂ ଅଣ ଆଦିବାସୀ ମୋଇତି ସଂପ୍ରଦାୟ ସହ ବିବାଦ ସୃଷ୍ଟି ହେବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। କିନ୍ତୁ ଏହା ଥମିବା ପରିବର୍ତ୍ତେ ସାରା ରାଜ୍ୟକୁ ବ୍ୟାପିବା ସହିତ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଗତକାଲି ସାରା ରାଜ୍ୟରେ ଧାରା ୩୫୫ ଲାଗୁ କରାଯିବା ସହିତ ବାହାର ରାଜ୍ୟରୁ ସେନା ମଗାଯାଇ ସାରା ରାଜ୍ୟରେ ମୁତୟନ କରାଯାଇଥିଲା। ଏହାସତ୍ତ୍ବେ ହିଂସା ଥମି ନଥିଲା। ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଂସା ଘଟି ୫୫ ଜଣଙ୍କ ମୃତ୍ୟୁ ହୋଇଥିଲା।