ପାକିସ୍ତାନରେ ବିବାହ ଉତ୍ସବବେଳେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୭ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ଉଡ଼ାଇ ଦେବା ଫଳରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଡେରା ଇସମାଇଲ ଖାନ ଜିଲ୍ଲାରେ ଘଟିଛି।

ରିପୋର୍ଟ ଅନୁଯାୟୀ, ସରକାରୀ ସମର୍ଥକ ଗୋଷ୍ଠୀ ନେତା ନୁର ଆଲମ ମେହସୁଦଙ୍କ ବାସଭବନରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଅତିଥିମାନେ ନାଚଗୀତରେ ମସଗୁଲ ଥିବା ସମୟରେ ହଠାତ୍ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା, ଯାହାଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହା ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥିଲା।

ମୃତକଙ୍କ ମଧ୍ୟରେ ଶାନ୍ତି କମିଟିର ପ୍ରମୁଖ ନେତା ୱାହିଦୁଲ୍ଲା ମେହସୁଦ (ଜିଗ୍ରି ମେହସୁଦ) ସାମିଲ ଅଛନ୍ତି। ସେ ଜଣେ ପୂର୍ବତନ ସନ୍ତ୍ରାସବାଦୀ ଥିଲେ, ଯିଏକି ପରବର୍ତ୍ତୀ ସମୟରେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରି ଶାନ୍ତି ପ୍ରକ୍ରିୟାରେ ଯୋଗ ଦେଇଥିଲେ। ପୋଲିସର ସୂଚନା ଅନୁଯାୟୀ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ଏବଂ ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା କୌଣସି ସନ୍ତ୍ରାସବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ପାକିସ୍ତାନୀ ତାଲିବାନ ବା ତେହେରିକ-ଇ-ତାଲିବାନ ପାକିସ୍ତାନ (TTP) ର ହାତ ଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ ହେବ ବନ୍ନୁ ଜିଲ୍ଲା ଏବଂ ଅନ୍ୟାନ୍ୟ ସ୍ଥାନରେ ଶାନ୍ତି କମିଟି ସଦସ୍ୟମାନଙ୍କୁ ଲକ୍ଷ୍ୟ କରି କ୍ରମାଗତ ଭାବେ ଆକ୍ରମଣ କରାଯାଉଛି।

About The Author: Madhusudan Das