ୱାଶିଂଟନ: ପାକିସ୍ତାନ ଦୁନିଆର ସବୁଠୁ ବିପଦଜନକ ଦେଶମାନଙ୍କ ମଧ୍ୟରେ ଗୋଟିଏ । ଶୁକ୍ରବାର ରାଷ୍ଟ୍ରପତି ବାଇଡେନ ଡେମୋକ୍ରାଟିକ କଂଗ୍ରେସନାଲ ପ୍ରଚାର କମିଟି ରିସେପସନକୁ ସମ୍ବୋଧନ କରିବା ବେଳେ ଏକଥା କହିଥିବା ହ୍ୱାଇଟହାଉସ ପକ୍ଷରୁ ଜାରି ବିବୃତିରୁ ସ୍ପଷ୍ଟ ହୋଇଛି। ଆଣବିକ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ କରି ଏପରି କହିଛନ୍ତି । ବାଇଡେନ କହିଛନ୍ତି ଯେ ପାକିସ୍ତାନ ପାଖରେ ବିନା ବୁଝାମଣାର ପରମାଣୁ ବୋମା ରହିଛି । ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି କି, ପାକିସ୍ତାନ ନିକଟରେ ଯେଉଁ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାକୁ ସଠିକ ନିୟନ୍ତ୍ରଣ ଓ ନିରୀକ୍ଷଣରେ ରଖାଯାଇନି । ପାକିସ୍ତାନରେ ସେନା ଓ ସରକାରଙ୍କ ମଧ୍ୟରେ କୌଣସି ତାଳମେଳ କି ସମନ୍ୱୟ ନାହିଁ । ଯାହା ଦେଶ ଦୁନିଆ ପାଇଁ ଆଗକୁ ବଡ ବିପଦ ଆଣିପାରେ । କେବଳ ପାକିସ୍ତାନ ନୁହେଁ ଚୀନ ଏବଂ ଋଷକୁ ବି ଟାର୍ଗେଟ କରିବାକୁ ସେ ପଛାଇ ନାହାନ୍ତି ।
ସୂଚନା ଅନୁସାରେ ପାକିସ୍ତାନ ପାଖରେ ପ୍ରାୟ ୧୬୦ଟି ପରମାଣୁ ବୋମା ରହିଛି । ଏହି ସଂଖ୍ୟା ଲଗାତାର ବଢ଼ୁଛି । ଯଦି ଏହି ସଂଖ୍ୟା ଏପରି ବଢ଼େ ତେବେ ୨୦୨୫ ବେଳକୁ ପ୍ରାୟ ୨୦୦ ପରମାଣୁ ବୋମା ହୋଇଯାଇଥିବ ବୋଲି ବାଇଡେନ କହିଛନ୍ତି । ଯଦି ପାକିସ୍ତାନ ପାଖରେ ଥିବା ଏହି ପରମାଣୁ ଅସ୍ତ୍ର ଭୁଲ ଲୋକଙ୍କ ହାତରେ ଲାଗିଯାଏ,ତେବେ ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ । ନିକଟରେ ଆଫଗାନିସ୍ତାନ ସ୍ଥିତି ମନେ ପକାଇ ବାଇଡେନ କହିଛନ୍ତି ଯେ ତାଲିବାନଙ୍କ ଶାସନ ଦଖଲ ପରେ ପାକିସ୍ତାନରେ ଆତଙ୍କବାଦୀମାନେ ଅଧିକ ଉତ୍ସାହିତ ରହିଛନ୍ତି । ଯଦି ଏହା ତାଙ୍କ ହାତରେ ଲାଗେ,ତେବେ ଏହା ସାରା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ହୋଇଯିବ ।
ତେବେ ପାକିସ୍ତାନର ଶକ୍ତିମନ୍ତ୍ରୀ ଆମେରିକାର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଅନେକ ଅନ୍ତର୍ଜାତୀୟ ଏଜେନ୍ସି ଅନେକ ଥର ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଯାଞ୍ଚ କରିଛନ୍ତି। ତେଣୁ ବିନା ବୁଝାମଣା ଓ ତଥ୍ୟରେ ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ରଖିନାହିଁ ବୋଲି ସେ ସଫେଇ ଦେଇଛନ୍ତି।
ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ବାଇଡେନ କହିଛନ୍ତି- ବିଶ୍ବ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ତେବେ ଏଥିଲାଗି କୌଣସି ବ୍ୟକ୍ତିବିଶେଷ ବା ଗୋଟିଏ ରାଷ୍ଟ୍ର ଦାୟୀ ନୁହନ୍ତି । ପାକିସ୍ତାନ ପରି ଏକ ରାଷ୍ଟ୍ର ବିଶ୍ବର ସବୁଠାରୁ ଅଧିକ ଭୟଙ୍କର ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହି ରାଷ୍ଟ୍ର ନିକଟରେ କୌଣସି ଅଙ୍ଗୀକାର ବିନା ଆଣବିକ ଅସ୍ତ୍ର ରହିଛି । ସାରା ବିଶ୍ବର ଦୃଷ୍ଟି ଆମ ଉପରେ ରହିଥିବ ଏକ ଛୋଟିଆ କଥା ନୁହଁ । ଏପରିକି ଆମର ଶତ୍ରୁମାନେ ମଧ୍ୟ ଆମର ଭୂମିକା ଉପରେ ନଜର ରଖିଛନ୍ତି । ସେ ପରୋକ୍ଷ ଭାବେ ଋଷକୁ ମଧ୍ୟ ସମାଲୋଚନା କରିଛନ୍ତି ।