ସୁଦାନରେ ଭୟଙ୍କର ନରସଂହାର: ନିଆଲା ବଜାର ଉପରେ ଡ୍ରୋନ୍ ମାଡ଼, ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଏକ ଭୟଙ୍କର ମୋଡ଼ ନେଇଛି। ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନିଆଲାର ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ହୋଇଥିବା ବର୍ବରୋଚିତ ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ଏହି ଲୋମହର୍ଷଣକାରୀ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସ୍ଥାନୀୟ ଲୋକେ ବଜାରରେ କାରବାର କରୁଥିଲେ। ହଠାତ୍ ଆକାଶମାର୍ଗରୁ ହୋଇଥିବା ଏହି ଆକ୍ରମଣରେ ବଜାରଟି ସମ୍ପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି, ଯାହା ଏହି ଯୁଦ୍ଧର କୁତ୍ସିତ ରୂପକୁ ପଦାରେ ପକାଇଛି। ଏହି ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଏବେ ଶୋକାକୁଳ ପରିବେଶ ସହ ଆତଙ୍କ ଖେଳିଯାଇଛି।

ମାନବାଧିକାର ସଂଗଠନ 'ଏମର୍ଜେନ୍ସି ଲୟର୍ସ' ପକ୍ଷରୁ କରାଯାଇଥିବା ଏକ ତଦନ୍ତମୂଳକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ସୁଦାନର ସରକାରୀ ସେନାବାହିନୀ ସିଧାସଳଖ ଦାୟୀ। ସଂଗଠନ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଏକ ସୁଚିନ୍ତିତ ଗଣହତ୍ୟା ବୋଲି ଅଭିହିତ କରିଛି। ଅନ୍ୟପଟେ, ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ସାଧାରଣ ଜନତାଙ୍କୁ ଢାଲ ଭାବେ ବ୍ୟବହାର କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।

ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ 'ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ' (ଏମଏସଏଫ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ନିଆଲା ହସ୍ପିଟାଲରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ବର୍ତ୍ତମାନ ସୁଦ୍ଧା ୩୬ଟି ମୃତଦେହ ହସ୍ପିଟାଲକୁ ଅଣାଯାଇଥିବା ବେଳେ ୧୫୦ରୁ ଅଧିକ ଗୁରୁତରଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି। ଔଷଧ ଓ ଚିକିତ୍ସା ସରଞ୍ଜାମର ଅଭାବ ଏହି ସଂକଟକୁ ଆହୁରି ବଢ଼ାଇ ଦେଇଛି।

About The Author: Suryakanta