ନୂଆଦିଲ୍ଲୀ: ଶ୍ରୀଲଙ୍କାର ସାଂପ୍ରତିକ ଆର୍ଥିକ ସ୍ଥିତି ଦିନକୁ ଦିନ ଉତ୍କଟରୁ ଅତି ଉତ୍କଟ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବେ ଲୋକଙ୍କ ପାଇଁ ଦୁଃସ୍ବପ୍ନ ହୋଇପଡ଼ିଛି। ଏମିତି କି ଏବେ ଲୋକଙ୍କୁ ଅନ୍ଧାର ମଧ୍ୟରେ ଜୀବନ ବିତିବାକୁ ପଡ଼ୁଛି। ଚାରିଆଡେ ଅରାଜକତା ଏବଂ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ସରକାର ସ୍ଥିତି ମୁକାବିଲା କରିବାକୁ ମଧ୍ୟ ଅସମର୍ଥ । କାରଣ ପର୍ଯ୍ୟାପ୍ତ ଋଣ ବୋଝରେ ପଡ଼ିଥିବା ଏହି ରାଷ୍ଟ୍ର ସବୁସ୍ତରରେ ଏବେ ବିଫଳ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶ୍ରୀଲଙ୍କା ଏବେ ଶ୍ରୀହୀନ ସ୍ଥିତିକୁ ଚାଲି ଆସିଛି। ଏଭଳି ସ୍ଥିତିରେ ଦିନକୁ ଦିନ ଲୋକଙ୍କ ଆକ୍ରୋଶ ବଢି ଚାଲିଥିବା ବେଳେ ଦୁଇ ମୁଖ୍ୟ ରାଷ୍ଟ୍ରନେତା ଦେଶ ଛାଡିବାକୁ ଯୋଜନା କରିଥିବା ଶୁଣିବାକୁ ମିଳୁଛି । ରାଷ୍ଟ୍ରପତି ଗୋଟାବାୟା ରାଜାପାକ୍ଷ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପାକ୍ଷ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏଥିପାଇଁ ଶ୍ରୀଲଙ୍କାର କଟୁନାଏକେ ଏବଂ ରଥମାଲାନା ବାୟୁ ସେନା ଘାଟୀରେ ଦୁଇ ବିମାନ ପ୍ରସ୍ତୁତ କରି ରଖାଯାଇଥିବା ସୂଚନା ମିଳିଛି।
ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭକାରୀମାନେ ପ୍ରତିଦିନ ବିକ୍ଷୋଭ ଜାରି ରଖିଛନ୍ତି। କେଉଁ ମୁହୂର୍ଭରେ ସ୍ଥିତି ଉତ୍କଟ ରୂପ ନେଇପାରେ ଏବଂ ଉଭୟ ନେତା ଜନତାଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି ବୋଲି ସୂଚନା ମିଳିବା ପରେ ସେମାନେ ଦେଶ ଛାଡି ଅନ୍ୟତ୍ର ଚାଲିଯିବାକୁ ଯୋଜନା କରିଥିବା କୁହାଯାଉଛି। ତେବେ ଏବେ ଏଭଳି ଖବରକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ସେମାନେ ଦେଶର ଏଭଳି ବିପର୍ଯ୍ୟୟ ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି କୁହାଯାଇଛି।