ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା

ଗୁରୁବାର ଦିନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ୟାକ୍ସିଂ କରୁଥିବା ଏକ ସ୍ପାଇସ୍ ଜେଟ୍ (SpiceJet) ବିମାନ ରନୱେରେ ସ୍ଥିର ଥିବା ଏକ ଆକାଶା ଏୟାର (Akasa Air) ବିମାନ ସହ ଧକ୍କା ହୋଇଛି। ଏହି ଘଟଣାରେ ଉଭୟ ବିମାନର କ୍ଷତି ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ୧୬ ଏପ୍ରିଲ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏହି ଘଟଣା ଘଟିଥିଲା। ଲେହରୁ ଆସୁଥିବା ସ୍ପାଇସ୍ ଜେଟ୍ ର B737-700 ବିମାନଟି ଅବତରଣ ପରେ ପାର୍କିଂ ବେ’ (bay) ଆଡ଼କୁ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଆକାଶା ଏୟାରର ବିମାନ ସହ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ସ୍ପାଇସ୍ ଜେଟ୍ ବିମାନର ଡାହାଣ ପାର୍ଶ୍ୱର ୱିଙ୍ଗଲେଟ୍ (right winglet) ଏବଂ ଆକାଶା ଏୟାର ବିମାନର ବାମ ପାର୍ଶ୍ୱର ହୋରିଜେଣ୍ଟାଲ୍ ଷ୍ଟାବିଲାଇଜର୍ (left-hand horizontal stabiliser) କ୍ଷତିଗ୍ରସ୍ତ ହୋଇଛି।

ଯାତ୍ରୀମାନେ ସୁରକ୍ଷିତ

ଆକାଶା ଏୟାରର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ପ୍ରସ୍ତୁତ ହେଉଥିଲା (ଫ୍ଲାଇଟ୍ ନମ୍ବର QP 1406)। ଦୁର୍ଘଟଣା ପରେ ବିମାନଟିକୁ ତୁରନ୍ତ ବେ’ କୁ ଫେରାଇ ନିଆଯାଇଥିଲା। ଆକାଶା ଏୟାରର ମୁଖପାତ୍ର ସୂଚନା ଦେଇଛନ୍ତି ଯେ, ଧକ୍କା ହେବା ବେଳେ ସେମାନଙ୍କ ବିମାନଟି ସ୍ଥିର ଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଦୁର୍ଘଟଣାଗ୍ରସ୍ତ ସ୍ପାଇସ୍ ଜେଟ୍ ବିମାନଟିକୁ ମଧ୍ୟ ସାମୟିକ ଭାବେ ଉଡ଼ାଣରୁ ବାଦ୍ ଦିଆଯାଇଛି ବା ଗ୍ରାଉଣ୍ଡେଡ୍ କରାଯାଇଛି।

ତଦନ୍ତ ନିର୍ଦ୍ଦେଶ

ଏହି ସମ୍ବେଦନଶୀଳ ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏବଂ ସମ୍ପୃକ୍ତ ବିମାନ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।

About The Author: Suryakanta