ନୂଆଦିଲ୍ଲୀ : ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜିଠାରୁ ‘ବିହାରରେ ଭୋଟ ଅଧିକାର ଯାତ୍ରା’ ଆରମ୍ଭ କରିଛନ୍ତି। ସାସାରାମରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ପାଇଁ ରାହୁଲ ୧୬ ଦିନ ପର୍ଯ୍ୟନ୍ତ ବିହାରରେ ରହିବେ। ୧୩୦୦କିମିର ଏହି ଯାତ୍ରାରେ ୨୪ ଜିଲ୍ଲାକୁ ଗସ୍ତ କରିବେ। ଏହି ସବୁ ଜିଲ୍ଲାରେ ୧୧୮ ବିଧାନସଭା କ୍ଷେତ୍ର ରହିଛି। ଏହି ଯାତ୍ରାରେ ଇଣ୍ଡିଆ ମେଣ୍ଟର ସବୁ ଦଳର ବରିଷ୍ଠ ନେତା ଏବଂ କର୍ମୀ ସାମିଲ ହେବେ। ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ଯାତ୍ରାରେ ଯୋଗଦେବେ।
ଦେଶରେ ଭୋଟ ମଝବୁତ କରିବା ପାଇଁ ରାହୁଲ ଏହି ଯାତ୍ରା କରୁଛନ୍ତି ବୋଲି କଂଗ୍ରେସ ପ୍ରଭାରୀ କୃଷ୍ଣା ଅଲାବାରୁ କହିଛନ୍ତି। ତେବେ ପ୍ରଶାସନ ଏହି ଯାତ୍ରା ପାଇଁ ଅନୁମତି ଦେଉନାହିଁ ବୋଲି ଆରଜେଡି ସାଂସଦ ସୁଧାକର ସିଂହ ଅଭିଯୋଗ ଲଗାଇଛନ୍ତି। ପ୍ରଶାସନ ସରକାରଙ୍କ ଚାପରେ କାମ କରୁଛି। ରାହୁଲଙ୍କ ସଭା ଏବଂ ହେଲିକପ୍ଟରକୁ ଅବତରଣ ପାଇଁ ଅନୁମତି ଦିଆଯାଉନାହିଁ ବୋଲି ସେ ଅଭିଯୋଗ ଲଗାଇଛନ୍ତି। କିନ୍ତୁ ସାସାରାମ ଜିଲ୍ଲାପାଳ ଏହାକୁ ଖାରଜ କରିଦେଇଛନ୍ତି।
ଇତିମଧ୍ୟରେ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକା ସଂଶୋଧନକୁ ନେଇ ରାଜନୈତିକ ଦଳ ଓ ନେତାମାନେ ଯେଉଁସବୁ ଅଭିଯୋଗ ଉଠାଉଛନ୍ତି ତାହା ଭିତ୍ତିହୀନ। ସମସ୍ତ ନିର୍ବାଚନ ପୂର୍ବରୁ ଭୋଟର ସଂଶୋଧନ ତାଲିକା ରାଜନୈତିକ ଦଳମାନଙ୍କୁ ଦିଆଯାଇଥାଏ। କୌଣସି ଆପତ୍ତି କି ଦାବି ଥିଲେ ସେମାନେ ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀମାନଙ୍କ ସହିତ ଆଲୋଚନା କରିପାରିବେ। ଏହା ନକରି ଅନ୍ୟ ସ୍ତରରେ ଏଭଳି ଅଭିଯୋଗ କରିବା ଠିକ୍ ନୁହେଁ। ଇତିମଧ୍ୟରେ ବିହାର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ଏବଂ କର୍ଣ୍ଣାଟକରେ ଭୋଟ୍ ଚୋରିକୁ ନେଇ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ସ୍ପଷ୍ଟୀକରଣ ଦେବାଲାଗି ଆଜି ନିର୍ବାଚନ କମିସନ ପକ୍ଷରୁ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରାଯିବ। ଏଥିରେ ସମସ୍ତ ଅଭିଯୋଗର ଉତ୍ତର ଦେବାକୁ ଚେଷ୍ଟା କରିବେ କମିସନ।