ନୂଆଦିଲ୍ଲୀ: କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍ ଭାରତ ସହ ଅସହମତି ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ସେ କହିଛନ୍ତି ଯେ, ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭିଏନା ଚୁକ୍ତିର କୌଣସି ଉଲ୍ଲଂଘନ ହୋଇ ନାହିଁ। ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜୟଶଙ୍କର କହିଛି।
ଜୟଶଙ୍କର କହିଛନ୍ତି “ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯାହା ଏହା ଉପରେ ଏକ ପ୍ରାସଙ୍ଗିକ ଅନ୍ତର୍ଜାତୀୟ ନିୟମ। କିନ୍ତୁ ଆମ ଘଟଣାରେ ଆମେ ସମାନତା ରଖିଛୁ। କାରଣ କାନାଡ଼ା ରାଷ୍ଟ୍ରଦୂତଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଆମ ପାଇଁ ଚିନ୍ତାର ବିଷୟ ଥିଲା।” ହେଲେ ଏନେଇ ସବୁକଥା ଲୋକ ଲୋଚନରେ ପ୍ରକାଶ କରୁ ନାହିଁ। ସମୟ ଆସିଲେ ଲୋକେ ବୁଝିଯିବେ ଯେ ଆମକୁ କାହିଁକି ସେମାନଙ୍କର ସହ ସମସ୍ୟା ହେଲା ବୋଲି ଜୟଶଙ୍କର କହିଛନ୍ତି।