ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଦାବି କରିଛନ୍ତି ଯେ ରୁଷର ଅର୍ଥନୈତିକ ଅଭିବୃଦ୍ଧି ବହୁଳ ଭାବରେ ଭାରତ ଭଳି ଦେଶ ଉପରେ ନିର୍ଭର କରୁଛି। ଏହା ସହିତ ସେ ଉଭୟ ଦେଶ ମଧ୍ୟରେ ଚାଲିଥିବା ତୈଳ ବାଣିଜ୍ୟ ଉପରେ ରୋକ ଲଗାଇବାକୁ ଆହ୍ୱାନ ଦେଇଛନ୍ତି।
ତୈଳ ଆମଦାନୀ ବନ୍ଦ ହେଲେ ଅଟକିବ ଯୁଦ୍ଧ
ଏକାନ୍ତରେ 'ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ' (WSJ) କୁ ସାକ୍ଷାତକାର ଦେଇ ଜେଲେନ୍ସ୍କି କହିଛନ୍ତି ଯେ, "ରୁଷ ନିଜର ଅର୍ଥନୀତି ପାଇଁ ମୁଖ୍ୟତଃ ଭାରତ, ଏବଂ କେତେକାଂଶରେ ତୁର୍କୀ ଏବଂ ଚୀନ୍ ଉପରେ ନିର୍ଭରଶୀଳ। ଯଦି ଏହି ଦେଶଗୁଡ଼ିକ ରୁଷ ସହିତ ସେମାନଙ୍କର ଶକ୍ତି ତଥା ତୈଳ ବାଣିଜ୍ୟ ବନ୍ଦ କରିଦିଅନ୍ତି, ତେବେ ଏହା ସ୍ପଷ୍ଟ ଯେ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ ପଡ଼ିବ।" ସେ ବିଶେଷ କରି ଏହି ଦେଶମାନଙ୍କୁ ତୈଳ ବାଣିଜ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି।
ଆମେରିକାର ନୂଆ ଆଇନ ଓ ଟ୍ରମ୍ପଙ୍କ ପଦକ୍ଷେପ
ଏହି ଘଟଣାକ୍ରମ ଏପରି ଏକ ସମୟରେ ଆସିଛି, ଯେତେବେଳେ କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ 'ଲିଣ୍ଡସେ ଓ ଗ୍ରାହାମ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ' ଉପରେ ସ୍ୱାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଏହି ନୂଆ ଆଇନ ବଳରେ ରୁଷରୁ ବିପୁଳ ପରିମାଣର ତୈଳ କିଣୁଥିବା ଦେଶ ଯେପରିକି ଭାରତ ଏବଂ ଚୀନ୍ ଉପରେ ବାଣିଜ୍ୟିକ ଶୁଳ୍କ (ଟାରିଫ୍) ଲଗାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମତା ମିଳିଛି।
ଆମେରିକାର ଏହି କଠୋର ଆଭିମୁଖ୍ୟ ଏବଂ ଜେଲେନ୍ସ୍କିଙ୍କ ବୟାନ ପରେ ରୁଷର ତୈଳ ବଜାର ଓ ଅନ୍ତର୍ଜାତୀୟ ରାଜନୀତିରେ ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ଭାରତର ଆଗାମୀ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।