ଲଣ୍ଡନ: ଏଲନ୍ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ଉପଗ୍ରହର ନୂତନ ପିଢ଼ି ‘ସ୍ପେସ୍-ଏକ୍ସ’ ସାରାବିଶ୍ୱକୁ ଦ୍ରୁତ ଇଣ୍ଟରନେଟ୍ ପ୍ରଦାନ କରୁଛି। ମାତ୍ର ତାଙ୍କର ଉପଗ୍ରହ ନେଟ୍ୱର୍କରୁ ନିର୍ଗତ ରେଡ଼ିଓ ତରଙ୍ଗ ମହାକାଶ ବିଜ୍ଞାନୀମାନଙ୍କ ମହାଜାଗତିକ ଗବେଷଣା କ୍ଷେତ୍ରରେ ବାଧକ ହୋଇଛି। ନେଦରଲାଣ୍ଡର ଗବେଷକମାନେ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି।
ନେଦରଲାଣ୍ଡ ଇନ୍ଷ୍ଟିଚ୍ୟୁଟ୍ ଫର୍ ରେଡ଼ିଓ ଏଷ୍ଟ୍ରୋନୋମୀ (ଏଷ୍ଟ୍ରୋନ୍) ଅନୁସାରେ, ମସ୍କଙ୍କ ଉପଗ୍ରହଗୁଡ଼ିକ ଅତ୍ୟାଧୁନିକ ଓ ଏହା ସାରା ବିଶ୍ୱକୁ ବ୍ରଡ୍ବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରଦାନ କରୁଛନ୍ତି। ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ମଧ୍ୟ ଇଣ୍ଟରନେଟ୍ ସେବା ଅବ୍ୟାହତ ରହୁଛି। ମାତ୍ର ଏହି ଷ୍ଟାର୍ ଲିଙ୍କ୍ କୃତ୍ରିମ ଉପଗ୍ରହଗୁଡ଼ିକ ମହାକାଶ ଗବେଷକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ମହାକାଶ ବିଜ୍ଞାନୀମାନେ ଲକ୍ଷ ଲକ୍ଷ ଆଲୋକବର୍ଷ ଦୂରରେ ଥିବା ଆକାଶଗଙ୍ଗାକୁ ଅତ୍ୟାଧୁନିକ ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଅନୁଧ୍ୟାନ କରିଥାଆନ୍ତି। ଜେଟ୍ ଓ ରକେଟ୍ଠାରୁ ଦ୍ରୁତଗତିରେ ଯାତ୍ରା କରୁଥିବା ମହାକାଶର ଜାଗତିକ ବସ୍ତୁଗୁଡ଼ିକୁ ଅନୁଶୀଳନ କରିଥାଆନ୍ତି। ମାତ୍ର ଏଲନ୍ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ଉପଗ୍ରହର ବିକିରଣ ଏଥିରେ ସମସ୍ୟା ସୃଷ୍ଟି କରୁଛି। ପ୍ରଥମ ପିଢ଼ିର ଉପଗ୍ରହ ତୁଳନାରେ ମସ୍କଙ୍କ ଦ୍ୱିତୀୟ ପିଢ଼ିର ଭି-ଉପଗ୍ରହ ୩୨ଗୁଣ ଅଧିକ ଗତିଶୀଳ ଓ ଏହାର ବିକିରଣ ମାତ୍ରା ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଦ୍ୱାରା ନିୟମଠାରୁ ଅଧିକ। ସମ୍ପ୍ରତି ଭୂପୃଷ୍ଠଠାରୁ ୫୫୦ କିଲୋମିଟର ଊର୍ଦ୍ଧ୍ବ କକ୍ଷରେ ୬୪୦୨ ଷ୍ଟାର ଲିଙ୍କର ସ୍ପେସ ଏକ୍ସ ଉପଗ୍ରହ ପୃଥିବୀ ପରିକ୍ରମା କରୁଛି। ୮ ମିଟର ସାରଣୀ ଦ୍ୱାରା ଏହା ସୌରଶକ୍ତିରେ ପରିଚାଳିତ। ଅନ୍ୟପକ୍ଷରେ ସ୍ପେସ ଏକ୍ସର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେନୱେବର ଉପଗ୍ରହ ସଂଖ୍ୟା ମାତ୍ର ୧୦୦୦ ମଧ୍ୟରେ ସୀମିତ। ଏ କ୍ଷେତ୍ରରେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଉଥିବାରୁ ଆଗାମୀ କିଛି ବର୍ଷ ମଧ୍ୟରେ ମହାକାଶରେ ଏହିପରି ଉପଗ୍ରହ ସଂଖ୍ୟା ୧ ଲକ୍ଷରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।