ପରମାଣୁ ଧମକ ଦେଲେ ରାଷ୍ଟ୍ରପତି ପୁଟିନ୍,କହିଲେ -ରୁଷିଆ ବିରୋଧରେ ଷଡଯନ୍ତ୍ର ପଡିପାରେ ମହଙ୍ଗା

ନୂଆଦିଲ୍ଲୀ : ୟୁକ୍ରେନ୍‌ ସହ ଋଷିଆର ଯୁଦ୍ଧ ପ୍ରାୟ ୭ ମାସରେ ପହଞ୍ଚିଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଏପରି କି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ […]

ନୂଆଦିଲ୍ଲୀ : ୟୁକ୍ରେନ୍‌ ସହ ଋଷିଆର ଯୁଦ୍ଧ ପ୍ରାୟ ୭ ମାସରେ ପହଞ୍ଚିଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଏପରି କି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।

ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପୁଟିନ୍ କହିଛନ୍ତି, ଆମକୁ ହାଲୁକା ଭାବେ ନିଅ ନାହିଁ । ପଶ୍ଚିମ ଦେଶ ଗୁଡିକ ରୁଷିଆକୁ ଧ୍ୱଂସ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେମାନେ ୟୁକ୍ରେନରେ ଶାନ୍ତି ଫେରୁ ବୋଲି ଚାହୁଁନାହାନ୍ତି । ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରି ପୁଟିନ୍ ଘୋଷଣା କରିଛନ୍ତି କି, ୟୁକ୍ରେନକୁ ଆହୁରି ସୈନ୍ୟ ପଠାଇବ ରୁଷିଆ । ତାଙ୍କ ପାଖରେ ରିଜର୍ଭ ଥିବା ୯ ମିଲିୟନ ସେନାକୁ ୟୁକ୍ରେନ ପଠାଇବା ସହ ନିଜ ଦେଶର ସୀମା ସୁରକ୍ଷା ବଢାଇବା ପାଇଁ କହିଛନ୍ତି ପୁଟିନ୍ । ଫେବୃୟାର ୨୪ ରୁ ଆରମ୍ଭ ହୋଇଥିବା ରୁଷିଆ–ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶ ଗୁଡିକ ରୁଷକୁ ଦୁର୍ବଳ କରି ଧ୍ୱଂସ କରିବାକୁ ଚାହୁଁଛନ୍ତି । ନିଜ ମାତୃଭମି ଓ ଅଖଣ୍ଡତାର ରକ୍ଷା ପାଇଁ ପାଶ୍ଚାତ୍ୟ ଦେଶକୁ ଏଭଳି ଚେତାବନୀ ଦିଆଯାଉଥିବା କହିଛନ୍ତି ରୁଷିଆ ରାଷ୍ଟ୍ରପତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରୁଷ୍‌ ବିରୋଧରେ ପାଶ୍ଚାତ୍ୟ ଦେଶ ଆଣବିକ ଧମକ ଦେଉଛି। କିନ୍ତୁ, ତାହାର ପ୍ରତ୍ୟୁତ୍ତର ଦେବା ପାଇଁ ରୁଷ୍‌ ପାଖରେ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ରହିଛି। ମୁଁ ମିଛ କିଂବା ଛଳନା କରି ଏ କଥା କହୁନାହିଁ।ରୁଷ୍‌ର ଅବିଚ୍ଛେଦ୍ୟ ଅଂଶ ହେବା ପାଇଁ ରୁଷ୍‌ ନିୟନ୍ତ୍ରଣାଧୀନ ପୂବାଞ୍ଚଳ ଓ ଦକ୍ଷିଣାଞ୍ଚଳ ୟୁକ୍ରେନ୍‌‌ରେ ଭୋଟ୍‌ କରାଯିବାର ଯୋଜନା ଚାଲିଥିବା କଥା ଘୋଷଣା କରାଯିବାର ଦିନକ ପରେ ପୁଟିନ୍‌ ଜାତି ଉଦ୍ଦେଶ୍ୟରେ ଉପରୋକ୍ତ ଉଦ୍‌ବୋଧନ ଦେଇଛନ୍ତି।

ଯୁଦ୍ଧର ୭ ମାସ ମଧ୍ୟରେ ପୁଟିନଙ୍କର ଏହା ସବୁଠାରୁ ବଡ଼ ଧମକ ବୋଲି କୁହାଯାଉଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଟିନ ପ୍ରଥମଥର ପାଇଁ ରୁଷରେ ବିପୁଳ ପରିମାଣର ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ହମଲା ପୂର୍ବରୁ ଏପରି ସୈନ୍ୟ ସଞ୍ଚାଳନ କରାଯାଇଥାଏ। ତେଣୁ ପୁଟିନ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା କରାଯାଉଛି।

ପୁଟିନ ପରମାଣୁ ଧମକ ଦେବା ପରେ ଆମେରିକାଠାରୁ ବ୍ରିଟେନ ଯାଏ ହଇଚଇ ସୃଷ୍ଟି ହୋଇଛି। ବ୍ରିଟେନ ପକ୍ଷରୁ ରୁଷକୁ ଧମକ ଦେବା ସହ ଲଣ୍ଡନ ସବୁବେଳେ ୟୁକ୍ରେନ ସହ ରହିଥିବା କହିଛି। ଆମେରିକା ମଧ୍ୟ ରୁଷକୁ ତେରଚ୍ଛା ବାଣ ମାରିଛି। ୟୁକ୍ରେନ ସହ ଯୁଦ୍ଧରେ ରୁଷ ପରାସ୍ତ ହେଉଥିବାରୁ ପୁଟିନ ନିଜର ହତାଶା ଭାବ ଦେଖାଇଥିବା ୱାଶିଂଟନ କହିଛି। ପୁଟିନ ମିଲିଟାରୀ ମୋବିଲାଇଜେସନ କଥା କହିବାର କିଛି ସମୟ ପରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷ ଅତିରିକ୍ତ ୩ ଲକ୍ଷ ସୁରକ୍ଷାକର୍ମୀଙ୍କୁ ଏହି ସ୍ୱତନ୍ତ୍ର ଅପରେସନରେ ସାମିଲ କରିବ। ସେମାନେ ମସ୍କୋର ୨୫ ଲକ୍ଷ ସୈନ୍ୟ ବାହାନୀର ଅଂଶବିଶେଷ। ଅତର୍କିତ ପରିସ୍ଥିତି ଓ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

About The Author: The Sakala