ନୂଆଦିଲ୍ଲୀ : ଆଜିଠୁ ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ସକାଳ ୯ଟାରୁ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍ସରେ ପହଞ୍ଚି ନେଇଛନ୍ତି କରୋନା ଟିକା।ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଟିକା ନେବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀର ଏମ୍ସରେ ସେ ଟିକା ନେଇଛନ୍ତି । କରୋନା ମହାମାରୀରେ ଯେପରି ଭାବେ ଡାକ୍ତର ଓ ବୈଜ୍ଞାନିକମାନେ ଲଢେଇ କରିଛନ୍ତି ତାହା ଭୁଲି ହେବନାହିଁ । ଏହା ପ୍ରଶଂସାଯୋଗ୍ୟ । କମ୍ ସମୟରେ ଯେପରି ଟିକା ବାହାରିଛି ତାହାର ଶ୍ରେୟ ଡାକ୍ତର ଓ ବୈଜ୍ଞାନିକଙ୍କ ନିକଟକୁ ଯିବ । ଏହାସହ ସମସ୍ତେ ଭାକିସନ୍ ନେଇ କରୋନା ବିରୋଧୀ ଲଢେଇରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।
ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ କୋଭିଡ୍ ଟିକା ନେବାକୁ ଟ୍ୱିଟ୍ କରି ଅପିଲ୍ କରିଛନ୍ତି ମୋଦି। ଆମେ ସମସ୍ତେ ଏକାଠି ହୋଇ କୋଭିଡକୁ ଦୂର କରିପାରିବା ବୋଲି ସେ କହିଛନ୍ତି। ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜିଠାରୁ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ଟିକା ଆରମ୍ଭ ହୋଇଛି। ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲର ଟିକାକେନ୍ଦ୍ରରେ ଏହି ଟିକା ମିଳିପାରିବ। ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୪୫ରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ସେମାନେ ଟିକା ନେବେ। ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଡୋଜ ପିଛା ୨୫୦ ଟଙ୍କା ଦେବାକୁ ହେବ ବୋଲି ସରକାର ନିୟମ କରିଛନ୍ତି। ଯେଉଁମାନେ ଟିକା ନେବେ ସମସ୍ତଙ୍କୁ କୋଓ୍ୱିନ ଆପରେ ଟିକା ନେବାକୁ ରେଜିଷ୍ଟ୍ରେସନ କରିବାକୁ ହେବ।