ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ ।
ଆଜି ଦିଲ୍ଲୀ ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସମୟରେ ମାଗଣାରେ ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ୪୫ ହଜାର ଟିକାକରଣ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯିବ ବୋଲି ମନିଷ ସିସୋଦିଆ କହିଛନ୍ତି ।
ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ ୧୬ ତାରିଖରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ ୧ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯାଉଛି । ଯେଉଁଥିରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୪୫ ବର୍ଷରୁ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି ।