ନୂଆଦିଲ୍ଲୀ : ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବର ବିଭିନ୍ନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ଦୁଇ ପ୍ରତିପକ୍ଷ କଥା ହେବା ସମୟରେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ନିକଟରେ ୟୁକ୍ରେନ ଗସ୍ତ ସମୟରେ ମିଳିଥିବା ଅନୁଭୂତିକୁ ସେ ରୁଷ ରାଷ୍ଟ୍ରପତିଙ୍କ ସହ ବାଣ୍ଟିଥିଲେ ଏବଂ ୟୁକ୍ରେନ ସହ ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ ଋଷ ଗସ୍ତରେ ଯାଇ ୨୨ ତମ ଭାରତ-ଋଷ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା କଥାକୁ ସ୍ମରଣ କରିଛନ୍ତି। ଦୁଇ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ। ପାରସ୍ପରିକ ଆଗ୍ରହର ଅନେକ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗରେ ସେମାନେ ମତ ବିନିମୟ କରିଥିଲେ ।
ଉଲ୍ଲେଖଯୋଗ୍ୟ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଫୋନରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଟ୍ବିଟ କରି କହିଥିଲେ ଯେ ତାଙ୍କର ଏବଂ ବିଡେନଙ୍କ ମଧ୍ୟରେ ଅନେକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇବା ସହ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦୁଇ ନେତା ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। କ୍ୱାଡ୍ ସମେତ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ସେମାନଙ୍କପ୍ରତିବଦ୍ଧତା ଦୋହରାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଙ୍କ ସହ ମଧ୍ୟ କଥା ହୋଇଥିଲେ।