ହତ୍ୟା, ଦୁଷ୍କର୍ମ ଓ ନିଶା କାରବାର ଅଭିଯୁକ୍ତ: ସିଜେପି ବିକ୍ଷୋଭ ହିଂସାରେ ସାମିଲ ଥିଲେ ଅନେକ ଅପରାଧୀ

ରାଜଧାନୀ ଦିଲ୍ଲୀରେ ନିକଟରେ ଅନୁଷ୍ଠିତ ହୋଇଥିବା କକ୍‌ରୋଚ୍ ଜନତା ପାର୍ଟି (CJP) ର ବିକ୍ଷୋଭ ଓ ହିଂସାକାଣ୍ଡରେ ଅନେକ ପେସାଦାର ଅପରାଧୀ ସାମିଲ ଥିବା ଜଣାପଡିଛି। ହତ୍ୟା ମାମଲାରେ ସମ୍ପୃକ୍ତ ୧୦୦ ରୁ ଅଧିକ ଅଭିଯୁକ୍ତ ଏବଂ ଲୁଟ୍, ଯୌନ ନିର୍ଯାତନା, ଅସ୍ତ୍ରଶସ୍ତ୍ର ଆଇନ ତଥା ନିଶା କାରବାର ମାମଲାରେ ଅଭିଯୁକ୍ତ ଶତାଧିକ ବ୍ୟକ୍ତି ସଂସଦ ଘେରାଉ ବେଳେ ହିଂସାକାଣ୍ଡରେ ଅଂଶଗ୍ରହଣ କରିଥିଲେ। ଦିଲ୍ଲୀ ପୋଲିସ ଦ୍ୱାରା ସରକାରଙ୍କୁ ପ୍ରଦାନ କରାଯାଇଥିବା ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଫେସିଆଲ୍ ରେକଗ୍ନିସନ୍ ସିଷ୍ଟମ୍ (FRS) ବ୍ୟବହାର କରି ପୋଲିସ ସିସିଟିଭି ଫୁଟେଜ୍ ଜରିଆରେ ଏହି ଅପରାଧୀମାନଙ୍କୁ ଚିହ୍ନଟ କରିଛି।

୯୮୯ ଜଣଙ୍କର ରହିଛି ସାଂଘାତିକ ଅପରାଧିକ ରେକର୍ଡ

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଥିବା ୨,୮୭୩ ଜଣଙ୍କୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ ୨,୪୦୨ ଜଣଙ୍କ ତଥ୍ୟ ପୋଲିସର "କ୍ରାଇମ୍ କୁଣ୍ଡଲି" (Crime Kundli) ଡାଟାବେସ୍ ସହ ମେଳ ଖାଇଥିବା ବେଳେ ଅନ୍ୟ ୪୭୧ ଜଣଙ୍କୁ ପୋଲିସ ରେକର୍ଡରୁ ଚିହ୍ନଟ କରାଯାଇଛି। ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଏହି ବିକ୍ଷୋଭକାରୀଙ୍କ ମଧ୍ୟରୁ ୯୮୯ ଜଣଙ୍କ ନାମରେ ପୂର୍ବରୁ ଅନେକ ସାଂଘାତିକ ଅପରାଧିକ ମାମଲା ରହିଛି।

କାହିଁକି ହୋଇଥିଲା ସିଜେପିର ଏହି ବିକ୍ଷୋଭ?

ସୂଚନାଯୋଗ୍ୟ ଯେ, ଗତ ମାସରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନିଟ୍ (NEET) ପରୀକ୍ଷା ବାତିଲ କରାଯିବା ଘଟଣାକୁ ନେଇ ସିଜେପି ନେତୃତ୍ୱରେ ଏହି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା। ଛାତ୍ରମାନେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଥିଲେ। ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଜନ୍ତରମନ୍ତରଠାରେ ଆମରଣ ଅନଶନରେ ବସିବା ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେଇଥିଲା। ଗତ ଜୁଲାଇ ୨୦ ତାରିଖରେ ହଜାର ହଜାର ବିକ୍ଷୋଭକାରୀ ସଂସଦ ଭବନ ଆଡ଼କୁ ଶୋଭାଯାତ୍ରା କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ବ୍ୟାପକ ଧସ୍ତାଧସ୍ତି ଓ ହିଂସାକାଣ୍ଡ ଘଟିଥିଲା।

About The Author: Suryakanta