ଇସଲାମାବାଦ: ଭିକାରୀଙ୍କୁ ନେଇ ସାରା ବିଶ୍ବରେ ନିନ୍ଦିତ ହେଉଥିବା ପାକିସ୍ତାନରୁ ଏକ ବିରଳ ମାମଲା ସାମ୍ନାକୁ ଆସିଛି। ୱେବ୍ ସିରିଜ ‘ମନି ହେଇଷ୍ଟି’ ଶୈଳୀରେ ପାକିସ୍ତାନରେ ଏକ ବଡ଼ ଡକାୟତି ହୋଇଛି। ଏହି ଡକାୟତି କୌଣସି ଛୋଟମୋଟ ଜାଗାରୁ ନୁହେଁ, ବରଂ ପାକିସ୍ତାନ ସଂସଦ (ନ୍ୟାସନାଲ ଆସେମବ୍ଲି) ରେ ହୋଇଛି। ଦିନ ଦ୍ବିପହରେ ଏହି ଚୋରି ହୋଇଛି। ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି। ସଂସଦରୁ ସାଂସଦଙ୍କ ଜୋତା ଚପଲ ଚୋରି ହୋଇଯାଇଛି। ଏହାକୁ ନେଇ ପୁଣି ପାକିସ୍ତାନ ଲଜ୍ଜିତ ହୋଇଛି। ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହା ପଛରେ ଭିକାରୀ ମାଫିଆଙ୍କ ହାତ ରହିଛି। ଦେଶରେ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଏବେ ଦେଶରେ ଭିକ ମାଗିବା ବଡ଼ ବ୍ୟବସାୟ ପାଲଟି ଯାଇଛି। ଦେଶର ୧୦ ପ୍ରତିଶତ ଲୋକ ଏହି ଧନ୍ଦାରେ ଜଡ଼ିତ ଅଛନ୍ତି। ଭିକାରୀଙ୍କୁ ମଧ୍ୟ ରପ୍ତାନୀ କରାଯାଉଛି।
ସୂଚନା ଅନୁଯାୟୀ ପାକିସ୍ତାନ ସଂସଦର ସୁରକ୍ଷାକୁ ଚକ୍ମା ଦେଇ ଚୋର ସାଂସଦ, ମନ୍ତ୍ରୀ ଏବଂ କର୍ମଚାରୀଙ୍କ ୨୦ ହଳ ଜୋତା ଚପଲ ଚୋରି କରିନେଇଛି। ସଂସଦ ପରିସରରେ ଥିବା ମସ୍ଜିଦ୍ ବାହାରୁ ଏହି ଚୋରି ହୋଇ ରହିଛି। ଶୁକ୍ରବାର ନମାଜ ସାରି ଫେରିବା ପରେ ଜୋତାଚପଲ ନ ପାଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ କ୍ରୋଧ ପ୍ରକାଶ କରିଥିଲେ। ସୁରକ୍ଷାବାହିନୀ ମଧ୍ୟ ମୁଣ୍ଡରେ ହାତ ଦେଇଥିଲେ। ଶେଷରେ ସମସ୍ତେ ଖାଲି ପାଦରେ ଘରକୁ ଫେରିଥିଲେ। ଏବେ ବାଚସ୍ପତି ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।