ବେଙ୍ଗାଲୁରୁ: ପୁଣି ବଦନାମ ଓୟୋ ହୋଟେଲ। ବହୁତ କମ୍ ପ୍ରମାଣପତ୍ରରେ ମିଳି ଯାଉଥିବା ଏହି ହୋଟେଲ ପାଲଟିଛି ପ୍ରେମିକ ପ୍ରେମିକାଙ୍କ ପ୍ରଥମ ପସନ୍ଦ। ଏହା ହୋଇଯାଇଛି ରଙ୍ଗୀନ ରାତିର ରଙ୍ଗମଞ୍ଚ ପରି। କିନ୍ତୁ ଏହି ରଙ୍ଗମଞ୍ଚ ନେଇ ଯାଉଛି ଅନେକ ଜୀବନ। କିଏ ହତ୍ୟା ତ ଆଉ କିଏ କରୁଛି ଆତ୍ମହତ୍ୟା। ଏବେ ପୁନରାବୃତ୍ତି ହୋଇଛି ପୁଣି ସେହି କାହାଣୀର। ଏଥର କିନ୍ତୁ ବେଙ୍ଗାଲୁରୁ ଓୟୋ ହୋଟେଲରେ। ଆଉ ଏକ ବଦ୍ନାମ ସମ୍ବନ୍ଧର ଅନ୍ତ ହୋଇଯାଇଛି। ପ୍ରେମିକାକୁ ଅତି ନୃଶଂସ ଭାବେ ପ୍ରେମିକ ହତ୍ୟା କରିଛି। ୧୭ ଥର ଛୁରା ମାରି ପ୍ରେମିକାର ଜୀବନ ନେଇଛି।
ଏହି ଘଟଣା ସାରା ଦେଶରେ ଚର୍ଚ୍ଚାରେ ରହିଛି। ପ୍ରେମିକାଠାରୁ ପ୍ରେମିକ ୮ ବର୍ଷ ସାନ ଥିଲା। ପ୍ରେମିକା ହରିଣୀର ବୟସ ୩୩ ହୋଇଥିବାବେଳେ ପ୍ରେମିକ ୟସାସର ବୟସ ଥିଲା ୨୫। ଖାଲି ସେତିକି ନୁହେଁ ପ୍ରେମିକା ବିବାହିତା ଥିଲେ। ଆଉ ୨ ସନ୍ତାନର ଜନୀନ ମଧ୍ୟ। ତେବେ ତାଙ୍କ ପ୍ରେମିକ ଥିଲା ସଫ୍ଟୱେର ଇଞ୍ଜିନିୟର। ଏହି ସମ୍ପର୍କ ବିଷୟରେ ଜାଣିବା ପରେ ହରିଣୀଙ୍କ ପରିବାରରେ ଆସିଥିଲା ଝଡ଼। ବ୍ୟକ୍ତିଗତ ସମ୍ପର୍କ ବିଗିଡିବାରେ ଲାଗିଥିଲା। ଶେଷରେ ବାଧ୍ୟ ହୋଇ ହରିଣୀ ସମ୍ପର୍କ ତୁଟାଇବାକୁ ଆସିଥିଲେ ଓୟୋ ହୋଟେଲକୁ। ବେଙ୍ଗାଲୁରୁସ୍ଥିତ ପୂର୍ଣ୍ଣା ପ୍ରଜ୍ଞା ଲେଆଉଟରେ ରହିଥିଲେ। କିନ୍ତୁ ସମ୍ପର୍କ ତୁଟାଇବାକୁ ଆସି ଜୀବନ ହରାଇ ଦେଇଥିଲେ ହରିଣୀ। ଗତ ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାବେଳେ ତିନି ଦିନ ପରେ ଏହା ସାମ୍ନାକୁ ଆସିଛି।
ସୁବ୍ରମନ୍ୟପୁରା ପୁଲିସର ସୂଚନା ଅନୁଯାୟୀ ହରିଣୀ ଏବଂ ୟସାସ ଉଭୟେ ବେଙ୍ଗାଲୁରୁ କେଙ୍ଗେରି ଅଞ୍ଚଳର ବାସିନ୍ଦା ଥିଲେ। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତ ୟସାସକୁ ଗିରଫ ହୋଇଛି। ଏହି ମହିଳା ୟସାସଠୁ ଦୂରେଇ ଯିବାକୁ ଚାହୁଁଥିଲେ। ସେଥିପାଇଁ କଥାବାର୍ତ୍ତା କମ୍ କରି ଦେଇଥିଲେ। ସେ ସମ୍ପର୍କ ଶେଷ କରିବାକୁ ଏହି ହୋଟେଲକୁ ଆସିଥିଲେ। କିନ୍ତୁ ଇର୍ଷା ଏବଂ କ୍ରୋଧରେ ୟସାସ ତାଙ୍କୁ ଛୁରି ମାରି ହତ୍ୟା କରିଥିଲା। ଏହି ପ୍ରେମ ହରିଣୀଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିଥିଲା। ଘର ଲୋକେ ଜାଣିବା ପରେ ସମ୍ପର୍କରେ ରହିବେ ନାହିଁ ବୋଲି ସେ ୟସାସକୁ କହି ଦେଇଥିଲେ। କିନ୍ତୁ ପ୍ରେମିକ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲା।