ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଲେ ସରକାର। ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।
ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ । ବାୟୁର ଗୁଣବତ୍ତା ୪୨୦କୁ ପାର ହୋଇ ଯାଇଛି, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି ।
ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି । ବାୟୁର ଗୁଣବତ୍ତା ୩୬୪ ଥିବା ବେଳେ ,ମଙ୍ଗଳବାର ଦିନ ୩୫୯,ବୁଧବାର ଦିନ ପଞ୍ଜାବୀ ବାଗ ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେ ପହଞ୍ଚିଛି ।