‘ଅପରେସନ୍ ସିନ୍ଦୂର’ର ବଡ଼ ପର୍ଦ୍ଦାଫାଶ: ବ୍ରହ୍ମୋସ୍ ମାଡ଼ରେ ଛାନିଆ ପାକିସ୍ତାନ କିପରି ମାଗିଥିଲା ଯୁଦ୍ଧବିରତିର ଭିକ?

ଅଗଷ୍ଟ ୧୫ ତାରିଖରେ ଡିସକଭରି ଇଣ୍ଡିଆରେ ପ୍ରସାରିତ ହୋଇଥିବା 'ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର' (Declassified: Operation Sindoor) ଡକ୍ୟୁମେଣ୍ଟାରୀ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ବୟାନବାଜି ତେଜିଛି। ଗତ ବର୍ଷ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି କିପରି ଆତଙ୍କବାଦୀଙ୍କୁ ନିପାତ କରିଥିଲା, ତାହାର ସମ୍ପୂର୍ଣ୍ଣ ସତ ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ସାମ୍ନାକୁ ଆସିଛି। ଏହି ସତ ସାମ୍ନାକୁ ଆସିବା ପରେ ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଆଇଏସପିଆର (ISPR) ଏକ ଲମ୍ବା ବୟାନ ଜାରି କରି ନିଜର ବିଫଳତାକୁ ଲୁଚାଇବା ପାଇଁ ପ୍ରୟାସ କରିଛି।

'ଅପରେସନ୍ ସିନ୍ଦୂର' କ'ଣ ଥିଲା?

୨୨ ଏପ୍ରିଲ ୨୦୨୫ ରେ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହାର କଡ଼ା ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ୭ ମେ ୨୦୨୫ ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈୟବାର ୯ଟି ଠିକଣା ଉପରେ ଏକକାଳୀନ ଆକ୍ରମଣ କରାଯାଇଥିଲା। ପ୍ରାୟ ୮୮ ଘଣ୍ଟା ଧରି ଚାଲିଥିବା ଏହି ସାମରିକ ଅପରେସନକୁ 'ଅପରେସନ୍ ସିନ୍ଦୂର' ନାମ ଦିଆଯାଇଥିଲା।

ଦିଲ୍ଲୀ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଉଦ୍ୟମ

ଡକ୍ୟୁମେଣ୍ଟାରୀରେ କୁହାଯାଇଛି ଯେ, ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନ ଏତେ ଭୟଭୀତ ହୋଇଯାଇଥିଲା ଯେ, ସେ ଦିଲ୍ଲୀ ଉପରେ ଏକ ହାଇ-ସ୍ପିଡ୍ ମିସାଇଲ୍ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା। ତେବେ ଭାରତୀୟ ସୁରକ୍ଷା ବ୍ୟବସ୍ଥା ଏହାକୁ ହରିୟାଣାର ସିର୍ସା ନିକଟରେ ହିଁ ଆକାଶରେ ମଝି ବାଟରେ ନଷ୍ଟ କରିଦେଇଥିଲା।

DGMO ସ୍ତରରେ ପାକିସ୍ତାନର ଗୁହାରି

କ୍ରମାଗତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ୧୦ ମେ ସନ୍ଧ୍ୟାରେ ପାକିସ୍ତାନର ଡିଜିଏମଓ (DGMO) ଭାରତର ଡିଜିଏମଓଙ୍କୁ ଫୋନ୍ କରି ଯୁଦ୍ଧବିରତି ପାଇଁ ଗୁହାରି କରିଥିଲେ। ସେ କହିଥିଲେ, 'ସାର୍, ଆପଣମାନେ ଅନେକ ବ୍ରହ୍ମୋସ୍ ହିଟ୍ କରିସାରିଲେଣି, ଏବେ ତ ବନ୍ଦ କରନ୍ତୁ।' ଏହା ପରେ ଯାଇ ୮୮ ଘଣ୍ଟାର ଏହି ଯୁଦ୍ଧବିରାମ ହୋଇଥିଲା।

ପାକିସ୍ତାନର ପ୍ରତିକ୍ରିୟା ଏବଂ ଡୋଭାଲ୍‌ଙ୍କ ବୟାନ

ପାକିସ୍ତାନ ଏବେ ଏହି ଡକ୍ୟୁମେଣ୍ଟାରୀକୁ ଖଣ୍ଡନ କରି କହିଛି ଯେ ଭାରତ ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ଏହି ୨-ଭାଗ ବିଶିଷ୍ଟ ସିରିଜରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଅନ୍ୟାନ୍ୟ ବରିଷ୍ଠ ସାମରିକ ଅଧିକାରୀମାନେ ଅପରେସନର ନିଖୁଣ ବର୍ଣ୍ଣନା କରିଛନ୍ତି, ଯାହା ପାକିସ୍ତାନର ମିଛକୁ ପଦାରେ ପକାଇଦେଇଛି।

About The Author: Suryakanta