ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ଦିନରେ ଆମେ ଦେଶର ଶକ୍ତି ଏବଂ ଏହାର ସଂଯମତା ଉଭୟ ଦେଖିଛୁ। ସର୍ବପ୍ରଥମେ, ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରୁ, ମୁଁ ଭାରତର ଶକ୍ତିଶାଳୀ ନେବା ବାହିନୀ, ସଶସ୍ତ୍ର ବାହିନୀ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ଆମର ସାହସୀ ସୈନିକମାନେ ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅପାର ସାହସ ପ୍ରଦର୍ଶନ କରିଥିଲେ। ଆଜି, ମୁଁ ଏହି ସାହସ ଏବଂ ବୀରତ୍ୱକୁ ଆମ ଦେଶର ପ୍ରତ୍ୟେକ ମାଆ, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ଉତ୍ସର୍ଗ କରୁଛି।
୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ଦେଖାଇଥିଲେ ତାହା ଦେଶ ଏବଂ ବିଶ୍ୱକୁ ଚକିତ କରିଦେଇଥିଲା। ଛୁଟି କଟାଇବା ପାଇଁ ପହଲଗାମ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚରା ଯାଇ, ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସାମ୍ନାରେ ନିର୍ମମ ଭାବରେ ହତ୍ୟା କରାଯାଉଥିଲା। ଏହା ଆତଙ୍କର ଏକ ଅତି ଭୟଙ୍କର ଚେହେରା ଥିଲା। ସେଠାରେ ନିଷ୍ଠୁରତା ଥିଲା। ଏହା ମଧ୍ୟ ଦେଶର ସଦଭାବନାକୁ ଭାଙ୍ଗିବା ପାଇଁ ଏକ ଘୃଣ୍ୟ ପ୍ରୟାସ ଥିଲା। ମୋ ପାଇଁ ବ୍ୟକ୍ତିଗତ ଭାବରେ, ଏହି ଯନ୍ତ୍ରଣା ବହୁତ ବଡ଼ ଥିଲା।
ମା-ଭଉଣୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛିବାର ପରିଣାମ କଣ ଆତଙ୍କବାଦୀ ଜାଣିଲେ
ଏହି ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ରାଜନୈତିକ ଦଳ ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ୱରରେ ଛିଡ଼ା ହୋଇଥିଲେ। ଆମେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନାକୁ ସ୍ବଧିନତା ଦେଇଥିଲୁ। ଆଜି ଆତଙ୍କବାଦୀ ଏବଂ ପ୍ରତ୍ୟେକ ଆତଙ୍କବାଦୀ ସଂଗଠନ ଆମର ମା ଏବଂ ଭଉଣୀଙ୍କ କପାଳରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହେବ ତାହା ଜାଣିଯାଇଥିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ। ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ଅପରେସନ ସିନ୍ଦୂର ନ୍ୟାୟର ଏକ ଅଖଣ୍ଡ ପ୍ରତିଜ୍ଞା।
ଯେତେବେଳେ ରାଷ୍ଟ୍ର ସର୍ବୋଚ୍ଚ ହୁଏ, ସେତେବେଳେ ଦୃଢ଼ ନିଷ୍ପତ୍ତି ନିଆଯାଏ
ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଏବଂ ସେମାନଙ୍କ ତାଲିମ କେନ୍ଦ୍ର ଉପରେ ସଠିକତାର ସହିତ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ କଳ୍ପନା ମଧ୍ୟ କରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ, କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୁଏ, ରାଷ୍ଟ୍ର ପ୍ରଥମର ଭାବନାରେ ପରିପୂର୍ଣ୍ଣ ହୁଏ, ରାଷ୍ଟ୍ର ସର୍ବୋଚ୍ଚ, ସେତେବେଳେ ଦୃଢ଼ ନିଷ୍ପତ୍ତି ନିଆଯାଏ। ଫଳାଫଳଗୁଡ଼ିକ ପ୍ରଦର୍ଶିତ ହୁଏ।
ଯେତେବେଳେ ଭାରତର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ, ସେତେବେଳେ କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକର କୋଠା ଧ୍ୱଂସ ହୋଇନଥିଲା ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଯାଇଥିଲା। ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ଏକ ପ୍ରକାର ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ଯେକୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ କିମ୍ବା ଦଶନ୍ଧି ଧରି ଭାରତରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ସେସବୁ କେଉଁଠି ନା କେଉଁଠି, ଏହି ଆତଙ୍କବାଦ ସଙ୍ଗଠନ ଗୁଡିକ ଜଡିତ ଥିଲା। ଯାହା ଉପରେ ମିଜାଇଲ୍ ମାଡ଼ କରି ଭାରତ ମାଟିରେ ମିଶାଇଦେଇଥିଲା।
୧୦୦ ରୁ ଅଧିକ ଭୟଙ୍କର ଆତଙ୍କବାଦୀ ନିପାତ ହୋଇଛନ୍ତି
ଆତଙ୍କବାଦୀମାନେ ଆମର ଭଉଣୀମାନଙ୍କର ପୋଛିଥିଲେ। ତେଣୁ ଭାରତ ଆତଙ୍କର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଛି। ଭାରତର ଏହି ଆକ୍ରମଣରେ ୧୦୦ରୁ ଅଧିକ ଭୟଙ୍କର ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢ଼େଇରୁ ତିନି ଦଶନ୍ଧି ଧରି ଅନେକ ଆତଙ୍କବାଦୀ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଭାରତ ସେମାନଙ୍କୁ ଗୋଟିଏ ଝଟକାରେ ଧ୍ୱଂସ କରିଦେଲା।
ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ, ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଦେଲା। ପାକିସ୍ତାନ ଆମର ସ୍କୁଲ-କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଥିଲା। ପାକିସ୍ତାନ ଆମର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଥିଲା।
ବିଶ୍ୱ ଦେଖିଲା କିପରି ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ଆଗରେ ଫେଲ୍ ମାରିଲା। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ପାକିସ୍ତାନ ସୀମାରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତ ପାକିସ୍ତାନର ଛାତିରେ ଆକ୍ରମଣ କଲା।
ଧ୍ୱଂସ ପରେ, ପାକିସ୍ତାନୀ ସେନା ଆମର DGMO ସହିତ ଯୋଗାଯୋଗ କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ର ସଠିକତାର ସହିତ ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଏୟାରବେସଗୁଡ଼ିକୁ କ୍ଷତି ପହଞ୍ଚାଇଲା। ପ୍ରଥମ ତିନି ଦିନରେ, ଭାରତ ପାକିସ୍ତାନକୁ ଏପରି ଶିକ୍ଷା ଦେଲା ଯେ, ଯାହା ସେ କଳ୍ପନା ମଧ୍ୟ କରିନଥିଲା। ତେଣୁ, ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିବା ପାଇଁ ଉପାୟ ଖୋଜିବା ଆରମ୍ଭ କଲା। ପାକିସ୍ତାନ ସାରା ବିଶ୍ୱକୁ ଉତ୍ତେଜନା ହ୍ରାସ କରିବାକୁ ନିବେଦନ କରିଥିଲା ଏବଂ ମେ ୧୦ ତାରିଖ ଅପରାହ୍ନରେ, ପାକିସ୍ତାନୀ ସେନା ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା।
ସେତେବେଳକୁ ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବଡ଼ ପରିମାଣରେ ଧ୍ୱଂସ କରିସାରିଛୁ। ଆମେ ପାକିସ୍ତାନରେ ପ୍ରତିଷ୍ଠିତ ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସାବଶେଷରେ ପରିଣତ କରିଥିଲୁ। ତେଣୁ ଯେତେବେଳେ ପାକିସ୍ତାନ ପକ୍ଷରୁ ଏକ ଆବେଦନ କରାଯାଇଥିଲା, ଯେତେବେଳେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସିକତା ହେବ ନାହିଁ, ସେତେବେଳେ ଭାରତ ମଧ୍ୟ ତାହା ଉପରେ ବିଚାର କରିଥିଲା। ମୁଁ ପୁଣି ଥରେ କହୁଛି ଯେ ଆମେ କେବଳ ପାକିସ୍ତାନରେ ଆତଙ୍କବାଦୀ ଏବଂ ସାମରିକ ପ୍ରତିଷ୍ଠାନ ବିରୁଦ୍ଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ସେ କେଉଁ ମନୋଭାବ ଗ୍ରହଣ କରୁଛି ତାହା ଆଧାରରେ ମାପିବୁ।
ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ ସିନ୍ଦୁର ଏକ ନୂତନ ରେଖା ଟାଣିଛି
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ତିନି ସଶସ୍ତ୍ର ବାହିନୀ, ବାୟୁସେନା, ସ୍ଥଳସେନା ଏବଂ ନୌସେନା, ଆମର ସୀମା ସୁରକ୍ଷା ବାହିନୀ, ଭାରତର ଅର୍ଦ୍ଧସାମରିକ ବାହିନୀ ନିରନ୍ତର ସଜାଗ ଅଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ, ଏବେ ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ ସିନ୍ଦୂର ଏକ ନୂତନ ରେଖା ଟାଣିଛି।
ପ୍ରଥମ- ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଉଚିତ ଜବାବ ଦିଆଯିବ। ଆମେ ଆମ ନିଜସ୍ୱ ଉପାୟରେ, ନିଜସ୍ୱ ସର୍ତ୍ତରେ ଜବାବ ଦେବୁ। ଆତଙ୍କବାଦର ମୂଳ ଯେଉଁଠାରୁ ବାହାରିବ, ଆମେ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଦ୍ୱିତୀୟ – ଭାରତ କୌଣସି ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ
ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ସରକାର ଏବଂ ଆତଙ୍କବାଦର ମୁଖ୍ୟମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ।
ଅପରେସନ୍ ସିନ୍ଦୂର ସମୟରେ, ଯେତେବେଳେ ପାକିସ୍ତାନୀ ସେନାର ଉଚ୍ଚ ଅଧିକାରୀମାନେ ନିହତ ଆତଙ୍କବାଦୀଙ୍କୁ ବିଦାୟ ଦେବାକୁ ଧାଇଁ ଆସିଥିଲେ, ସେତେବେଳେ ବିଶ୍ୱ ପାକିସ୍ତାନର କୁତ୍ସିତ ସତ୍ୟ ଦେଖିଥିଲା। ଏହା ପାକ୍ ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଆମେ ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ସୁରକ୍ଷା ଦେବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।
ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଆମେ ଯୁଦ୍ଧକ୍ଷେତ୍ରରେ ପ୍ରତ୍ୟେକ ଥର ପାକିସ୍ତାନକୁ ପରାସ୍ତ କରିଛୁ ଏବଂ ଏଥର ଅପରେସନ ସିନ୍ଦୂର ଏକ ନୂତନ ପରିମାଣ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତମାଳାରେ ଆମର କ୍ଷମତାକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଛୁ। ଏହା ନୂତନ ଯୁଗର ଯୁଦ୍ଧରେ ମଧ୍ୟ ନିଜର ଶ୍ରେଷ୍ଠତା ପ୍ରମାଣ କରିଛି। ଏହି ଅପରେସନ ସମୟରେ, ଆମର ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି ଯେ ୨୧ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଯାଇଛି।