ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ନିଜର ସବୁ ତନ୍ତ୍ରକୁ ଲଗାଇ ଦେଇଥିଲା। ଆତଙ୍କବାଦୀ ପଠାଇ ଏହି ଆତଙ୍କୀ ରାଷ୍ଟ୍ର ଜମ୍ମୁ-କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୈସରନରେ ୨୬ ନିରୀହଙ୍କ ଜୀବନ ନେଇଥିଲା। ହିନ୍ଦୁଙ୍କ ରକ୍ତରେ ହୋଲି ଖେଳି ଘାଟୀକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ ସେନା ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି)ସହାୟତା ନେଇଥିଲା। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏହି ଆତଙ୍କବାଦୀ ସଂଗଠନକୁ ସହଯୋଗ କରିଥିଲା। ପାକିସ୍ତାନ ସେନା, ଆଇଏସଆଇ ଏବଂ ଏଲଇ୍ଟି ମିଳିତ ଷଡ଼ଯନ୍ତ୍ର କରି ପହଲଗାମରେ ଆତଙ୍କ ସୃଷ୍ଟି କରିଥିଲେ। ଏହି ଆକ୍ରମଣର ତଦନ୍ତ କରୁଥିବା ଏନ୍ଆଇଏର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଏହି ସୂଚନା (ସୂତ୍ରରୁ) ସୂଚନା ମିଳିଛି। ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଘାଟୀରେ ଲଜିଷ୍ଟିକ ସହାୟତା ଦେଇଥିବା ତୃଣମୂଳସ୍ତରର (ଓଜିଡବ୍ଲ୍ୟୁ)ର ୨୦ କର୍ମୀଙ୍କୁ ଏନଆଇଏ ଚିହ୍ନଟ କରିଛି। ଏମାନଙ୍କୁ ଏବେ ଜେରା କରାଯାଉଛି।
ପ୍ରମୁଖ ୨ ଓଜିଡବ୍ଲ୍ୟୁ ନିସାର ଅହମ୍ମଦ ଓରଫ ହାଜି ଏବଂ ମୁସ୍ତାକ ହୁସୈନକୁ ଗିରଫ କରି ଜମ୍ମୁର କୋଟ ଭଲୱାଲ ଜେଲ୍ରେ ରଖାଯାଇଛି। ଏଠାରେ ଉଭୟଙ୍କୁ ଜେରା କରାଯାଉଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଦୁଇ ଜଣ ଆତଙ୍କବାଦୀ ସଂଗଠନ ଏଲଇଟିର ସହଯୋଗୀ। ପୂର୍ବରୁ ୨୦୨୩ରେ ଭଟା ଧୁରିଆନ ଏବଂ ଟୋଟାଗଲିରେ ସେନା କନଭୟେ ଉପରେ ଆକ୍ରମଣ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି ଯେ ଆଇଏସଆଇ, ସେନା ସହିତ ପାକିସ୍ତାନୀ ନେତଙ୍କ ନିର୍ଦ୍ଦେଶ ଏବଂ ସହଯୋଗରେ ଏଲ୍ଇଟି ଏହି ଆତଙ୍କବାଦୀ ଆକ୍ରମଣର ପାଇଁ ଷଡ଼ଯନ୍ତ୍ର କରିଥିଲା। ପହଲଗାମ ଆକ୍ରମଣର ଦୁଇ ପ୍ରମୁଖ ସନ୍ଦିଗ୍ଧ ହସିମ ମୁସା ଓରଫ ଅଲିଅସ ସୁଲେମାନ ଏବଂ ଅଲି ଭାଇ ଓରଫ ତଲ୍ହା ଭାଇ ପାକିସ୍ତାନୀ ନାଗରିକ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ। ସୀମା ଆର ପଟୁ ଏହି ଆତଙ୍କବାଦଙ୍କୁ ସବୁ ନିର୍ଦ୍ଦେଶ ମିଳୁଥିଲା। ଲଜିଷ୍ଟିକ, ସମୟ ଏବଂ ଆକ୍ରମଣ ବିଷୟରେ ସବୁ ସୂଚନା ମିଳୁଥିଲା।
ସୂଚନା ଅନୁଯାୟୀ, ଆକ୍ରମଣରେ ସାମିଲ ଆତଙ୍କବାଦୀ ସପ୍ତାହେ ତଳେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ଓଜିଡବ୍ଲ୍ୟୁଙ୍କ ଏକ ନେଟୱର୍କ ଏହି ଆତଙ୍କବାଦୀଙ୍କୁ ଆଶ୍ରୟସହିତ ଯୋଗାଯୋଗରେ ସହାୟତା ଏବଂ ଅନ୍ୟ ସବୁର ସୂଚନା ଦେଇଥିଲା। ଏହି ଆତଙ୍କବାଦୀ ଗତ ୧୫ ତାରିଖରେ ପହଲଗାମରେ ପହଞ୍ଚି ଥିଲେ। ପରେ ବୈସରନ, ଅରୁ, ବିତାବ ଉପତ୍ୟକା ଏବଂ ଏକ ସ୍ଥାନୀୟ ପାର୍କ ବୁଲି ତଲାସୀ ନେଇଥିଲେ। ସୁରକ୍ଷା ନ ଥିବାରୁ ସେମାନେ ବୈସରନକୁ ଆକ୍ରମଣ ପାଇଁ ଧରିଥିଲେ। ଏନ୍ଆଇଏ ଆକ୍ରମଣସ୍ଥଳରୁ ୪୦ କ୍ୟାଟ୍ରିଜ ଜବତ କରିଛି। ବାଲିଷ୍ଟିକ ଏବଂ କେମିକାଲ ବିଶ୍ଳେଷଣ ପାଇଁ ଏହାକୁ ପଠାଇ ଦିଆଯାଇଛି। ସେହିପରି ପହଲଗାମର ୩ଡି ମ୍ୟାପିଂ ମଧ୍ୟ କରାଯାଇଛି। ନିକଟସ୍ତ ମୋବାଇଲ ଟାୱାରର ‘ଡମ୍ପ ଡାଟା’ ଯାଞ୍ଚ କରାଯାଉଛି। ଆକ୍ରମଣ ଦିନ ବୈସରନ ଅଞ୍ଚଳରେ ତିନୋଟି ସାଟେଲାଇଟ ଫୋନ୍ ସକ୍ରିୟ ଥିଲା ବୋଲି ମଧ୍ୟ ସୂଚନା ମିଳିଛି। ଏଥିରୁ ୨ଟି ସିଗ୍ନାଲର ବିଶ୍ଳେଷଣ କରାଯାଇଛି। ଏ ପର୍ଯ୍ୟନ୍ତ ଆକ୍ରମଣକୁ ନେଇ ୨୮୦୦ ଜଣଙ୍କୁ ଜେରା କରାଗଲାଣି। ୧୫୦ ଜଣଙ୍କୁ ହେପାଜତକୁ ନିଆଯାଇଛି। ଏମାନଙ୍କ ମଧ୍ୟରେ ଜମାତ-ଇ-ଇସଲାମି ଏବଂ ହୁରିୟତର ସଦସ୍ୟ ସାମିଲ ଅଛନ୍ତି। ପହଲଗାମ ଆକ୍ରମଣ ଏବଂ ରାଜୋରି-ପୁଞ୍ଚ କନଭୟ ଉପରେ ଗୁଳିମାଡ଼ ମଧ୍ୟରେ ସମ୍ବନ୍ଧ ରହିଛି ବୋଲି ଅଧିକାରୀ ଆଶଙ୍କା କରୁଛନ୍ତି। ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ୧୦ ଦିନ ହେଲା କଶ୍ମୀର ଜଙ୍ଗଲରେ ସେନା ଅଭିଯାନ ଜାରି ରଖିଛି।