ଏନ୍‌ଆଇଏ କାର୍ଯ୍ୟାନୁଷ୍ଠାନ: ରଦ୍ଦହେବ ୧୯ ଖଲିସ୍ତାନୀଙ୍କ ଆଇଓସି, ଭାରତ ସହ ଡବଲ୍‌ ଗେମ୍‌ ଖେଳୁଛି ଆମେରିକା

ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ହର୍‌ଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ଏବଂ ଭାରତ ମୁହାଁମୁହିଁ ହୋଇଛନ୍ତି। ରାଜନୈତିକ ଫାଇଦା ପାଇଁ ଜଷ୍ଟିନ ଟ୍ରୁଡୋ ଆଧାରହୀନ ଏବଂ ମନଗଢ଼ା ଅଭିଯୋଗ ଲଗାଇଥିବା ଭାରତ ପକ୍ଷରୁ କୁହାଯାଇଛି। ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଟ୍ରୁଡୋ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଖଲିସ୍ତାନୀଙ୍କ ବିରୋଧରେ ଧିରେ ଧିରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଗୁରୁ ନାନକ ଗୁରୁଦ୍ବାରରେ ଲାଗିଥିବା ବିବାଦୀୟ ପୋଷ୍ଟରକୁ ହଟାଇ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ ଉଚ୍ଚାୟୁକ୍ତ […]

ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ହର୍‌ଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ଏବଂ ଭାରତ ମୁହାଁମୁହିଁ ହୋଇଛନ୍ତି। ରାଜନୈତିକ ଫାଇଦା ପାଇଁ ଜଷ୍ଟିନ ଟ୍ରୁଡୋ ଆଧାରହୀନ ଏବଂ ମନଗଢ଼ା ଅଭିଯୋଗ ଲଗାଇଥିବା ଭାରତ ପକ୍ଷରୁ କୁହାଯାଇଛି। ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଟ୍ରୁଡୋ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଖଲିସ୍ତାନୀଙ୍କ ବିରୋଧରେ ଧିରେ ଧିରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଗୁରୁ ନାନକ ଗୁରୁଦ୍ବାରରେ ଲାଗିଥିବା ବିବାଦୀୟ ପୋଷ୍ଟରକୁ ହଟାଇ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ ସଦସ୍ୟଙ୍କୁ ଧମକ ଦିଆଯାଇଥିଲା। ଏବେ ଖଲିସ୍ତାନୀଙ୍କ ସ୍ବର ମଧ୍ୟ ବନ୍ଦ ହେବା ଆରମ୍ଭ ହେଲାଣି। ମାତ୍ର ଭୋଟ ବ୍ୟାଙ୍କ ଯୋଗୁଁ ଟ୍ରୁଡୋ ସିଧାସଳଖ ଖଲିସ୍ତାନୀଙ୍କୁ ନିର୍ଦ୍ଦେଶ ଦେଇପାରୁ ନାହାନ୍ତି।

ଅନ୍ୟପକ୍ଷରେ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ହିନ୍ଦୁଙ୍କୁ ଧମକ ଦେଇଥିବା ଶିଖ୍‌ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ) ମୁଖ୍ୟ ତଥା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁର ସମ୍ପତ୍ତି ଜବତ କରିବା ପରେ ଏନ୍‌ଆଇଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୫ଟି ଦେଶ କାନାଡ଼ା, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଦୁବାଇରେ ଲୁଚି ରହିଥିବା ୧୯ ଖଲିସ୍ତାନୀ ସମର୍ଥକଙ୍କ ତାଲିକା ଜାରି କରିଛି। ଏମାନେ ଭାରତରୁ ପଳାଇଛନ୍ତି। ଅନ୍ୟ ଦେଶରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛନ୍ତି। ଏହି ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବାକୁ ପ୍ରସ୍ତୁତି କରାଯାଉଛି। ଏହି ତାଲିକାରେ ପରମଜିତ ସିଂହ ପମ୍ମା, କଲୱନ୍ତ ମଠଡ଼ା, ସୁଖପାଲ ସିଂହ, ସରବଜୀତ ବେନୁର, କୁଲୱନ୍ତ, ଗୁରପ୍ରୀତ ସିଂହ, ହାରଜିପ, ହରପ୍ରୀତ ସିଂହ, ରଣଜୀତ ନିଟା, ଗୁରମିତ ସିଂହ, ଜସମିତ ହକିମଜାଦା, ଗୁରଜନ୍ତ ଢିଲ୍ଲନ, ଲଖବୀର ରୋଡେ, ଅମରଦୀପ ପୁରେୱାଲ, ଜତିନ୍ଦର ଗ୍ରେୱାଲ, ଦୁପିନ୍ଦର ଜିତ, ଏସ୍‌ ହିମ୍ମତ ସିଂହ, ବାଧୱା ସିଂହ ଏବଂ ଜେ ଧାଲିୱାଲର ନାମ ରହିଛି। ଭାରତ ଏହି ଆତଙ୍କବାଦୀଙ୍କ ଇଣ୍ଡିଆନ ଓଭରସିଜ ସିଟିଜେନସିପ କାର୍ଡ (ଆଇଓସି) ଜବତ କରିବାକୁ ଯୋଜନା କରାଯାଉଛି। ବିଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଏହି କାର୍ଡ ଜାରି କରାଯାଇଥାଏ। ଏହି କାର୍ଡ ମାଧ୍ୟମରେ ଏନଆରଆଇ ବିନା ଭିସାରେ ଭାରତ ଆସିପାରିବେ। ଏବେ କାନାଡାରେ ରହୁଥିବା ଭାରତୀୟ ବଂଶଦ୍ଭୋବ ଭୟରେ କାଳତିପାତ କରୁଛନ୍ତି ବୋଲି ସେଠାକାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଆମେରିକା ଭାରତ ସହ ଡବଲ୍‌ ଗେମ୍‌ ଖେଳୁଥିବା କୁହାଯାଉଛି। ଫାଇଭ୍‌ ଆଇଜିର ସଦସ୍ୟ ଆମେରିକା ନିଜ୍ଜାର ହତ୍ୟା ନେଇ କାନାଡ଼ାକୁ ଗୁଇନ୍ଦା ତଥ୍ୟ ଦେଇଥିଲା। ଆମେରିକା ନିଜ ଦେଶରେ ଥିବା ଖଲିସ୍ତାନୀ ସଦସ୍ୟଙ୍କ ପାଇଁ ମଧ୍ୟ ଚେତାବନୀ ଜାରି କରିଥିଲା। ଆଉ କିଛି ତଥ୍ୟ ନିଜେ କାନାଡ଼ା ସଂଗ୍ରହଣ କରିଥିଲା। ଭାରତୀୟ କୂଟନୀତିଜ୍ଞଙ୍କ ଯୋଗାଯୋଗ ତଥ୍ୟ ହାସଲ କରିଥିଲା।

About The Author: The Sakala