ନୂଆଦିଲ୍ଲୀ: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ୧୯ ହଜାର ମୁହାଁ ହୋଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୪.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୩.୮୬ ପ୍ରତିଶତ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଦେଶରେ ପ୍ରଥମ ଥର ପାଇଁ ଓମିକ୍ରନର ନୂଆ ଉପ-ପ୍ରଜାତି ବିଏ.୨.୭୫ ଚିହ୍ନଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ କହିଛନ୍ତି ଯେ ୟୁରୋପ-ଆମେରିକାରୁ ବିଏ.୪ ଏବଂ ବିଏ.୫ ମାମଲା ସାମ୍ନାକୁ ଆସୁଛି। ଭାରତ ଭଳି ଦେଶରେ ନୂଆ ଉପ-ପ୍ରଜାତି ବିଏ.୨.୭୫ର ବିପଦ ବୃଦ୍ଧି ପାଇଛି। ପ୍ରଥମେ ଭାରତରେ ଏହି ପ୍ରଜାତିକୁ ଚିହ୍ନଟ କରାଯାଇଥିଲା। ପରେ ଏହା ଅନ୍ୟ ୧୦ ଦେଶରୁ ମିଳିଥିଲା। ଏବେ ଏହି ଉପ-ପ୍ରଜାତିର ତଥ୍ୟ ବିଶ୍ଳେଷଣ କରାଯାଉଛି। ଗତ ଦୁଇ ସପ୍ତାହରେ ବିଶ୍ବରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ‘ହୁ’ ପକ୍ଷରୁ କୁହାଯାଇଛି।