କୋଲକାତା: ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବାନ୍ନ ଅଭିଯାନ’ର ଡାକରା ଦେଇଛି । ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବାନ୍ନ ଭବନ ଘେରାଉ କରିବା ଅଭିମୁଖେ ବାହାରିଛନ୍ତି ୩୦ ହଜାରରୁ ଅଧିକ ଆନ୍ଦୋଳନକାରୀ। ହାୱଡା ନିକଟରେ ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଛନ୍ତି ଆନ୍ଦୋଳନକାରୀ। ବିକ୍ଷୋଭକାରୀମାନେ ପୁଲିସ୍ ବ୍ୟାରିକେଡ୍ ଉପରକୁ ଚଢ଼ି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ଏହାକୁ ଦୃଢ ସମର୍ଥନ ଜଣାଇଛି ବିଜେପି । ବିକ୍ଷୋଭରତ ଜୁନିୟର ଡାକ୍ତର ସଂଘ ଏଥିରେ ଯୋଗ ଦେବେ ନାହିଁ ବୋଲି ମତ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଡାକରା ଦେଇଛି।
କୋଲକାତା ଲଜ୍ଜାକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ଦୃଢ ବିରୋଧ କରି ରବିନ୍ଦ୍ରଭାରତୀ ବିଶ୍ବବିଦ୍ୟାଳୟର ଏମଏ ଛାତ୍ର ପ୍ରବୀର ଦାସ ଓ କଲ୍ୟାଣୀ ବିଶ୍ବବିଦ୍ୟାଳୟର ଶୁଭଙ୍କର ହଳଧର ଏବଂ ଶହାନ ଲହିଡୀ ଏହି ବିକ୍ଷୋଭର ନେତୃତ୍ବ ନେବେ ବୋଲି ଘୋଷଣା କରିଛନ୍ତି । ଏଥିସହିତ ସେମାନେ ଏହା ବି କହିଛନ୍ତି ଯେ, ଆମର ତିନୋଟି ଦାବି ରହିଛି । ଅଭୟାଙ୍କୁ ନ୍ୟାୟ, ଅପରାଧୀକୁ ମୃତ୍ୟୁ ଦଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ।