ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ନୂଆଦିଲ୍ଲୀ: ଜାପାନର ଉତ୍ତର-ପୂର୍ବ ଉପକୂଳରେ ସୋମବାର ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଆରମ୍ଭରୁ ୭.୪ ବୋଲି କୁହାଯାଉଥିଲେ ମଧ୍ୟ ପରେ ଏହାକୁ ୭.୫ ବୋଲି ସଂଶୋଧନ କରାଯାଇଛି। ଏହି ଭୟଙ୍କର କମ୍ପନ ପରେ ଜାପାନ ପାଣିପାଗ ବିଭାଗ (JMA) ପକ୍ଷରୁ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରଏଟର୍ସ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ଇୱାତେ ପ୍ରଦେଶର କୁଜି ବନ୍ଦରରେ ପ୍ରାୟ ୮୦ ସେଣ୍ଟିମିଟର (୨.୬ ଫୁଟ) ଉଚ୍ଚର ସୁନାମି ଲହଡ଼ି ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଏକ ବନ୍ଦରରେ ୪୦ ସେଣ୍ଟିମିଟର (୧.୩ ଫୁଟ) ଉଚ୍ଚର ଲହଡ଼ି ରେକର୍ଡ କରାଯାଇଛି। ଏହାଛଡ଼ା ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ମିଟର (୧୦ ଫୁଟ) ପର୍ଯ୍ୟନ୍ତ ଉଚ୍ଚ ଲହଡ଼ି ଆସିବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। 

ସ୍ଥାନୀୟ ସମୟ ଅନୁଯାୟୀ ଅପରାହ୍ନ ୪:୫୩ ମିନିଟ୍ରେ ଏହି ଭୂମିକମ୍ପ ସଂଘଟିତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର ଇୱାତେ ପ୍ରଦେଶ ନିକଟ ପ୍ରଶାନ୍ତ ମହାସାଗରର ମାତ୍ର ୧୦ କିଲୋମିଟର ଗଭୀରରେ ରହିଥିଲା। ଏହି ଶକ୍ତିଶାଳୀ କମ୍ପନର ପ୍ରଭାବ ଏତେ ଅଧିକ ଥିଲା ଯେ, କେନ୍ଦ୍ରସ୍ଥଳଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ରାଜଧାନୀ ଟୋକିଓରେ ମଧ୍ୟ ବଡ଼ ବଡ଼ ଅଟ୍ଟାଳିକାଗୁଡ଼ିକ ଦୋହଲି ଯାଇଥିଲା। ଭୂମିକମ୍ପ କାରଣରୁ ଟୋକିଓ-ଆଓମୋରୀ ବୁଲେଟ୍ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ବୋଲି କ୍ୟୋଡୋ (Kyodo) ରିପୋର୍ଟରେ ପ୍ରକାଶ ପାଇଛି।

ଇୱାତେ, ଆଓମୋରୀ ଏବଂ ହୋକାଇଡୋର କିଛି ଅଂଶ ପାଇଁ ସୁନାମି ଆଲର୍ଟ ଜାରି ରହିଥିବାବେଳେ କେନ୍ଦ୍ରସ୍ଥଳର ଦକ୍ଷିଣରେ ଥିବା ମିୟାଗି ଏବଂ ଫୁକୁସିମାର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଲୋୟର-ଲେଭେଲ ଆଡଭାଇଜରୀ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ତୁରନ୍ତ ଉପକୂଳ ଏବଂ ନଦୀକୂଳ ଅଞ୍ଚଳ ଛାଡ଼ି ସୁରକ୍ଷିତ ତଥା ଉଚ୍ଚ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ପାଣିପାଗ ବିଭାଗ ଚେତାବନୀ ଦେଇ କହିଛି, "ସୁନାମି ଲହଡ଼ି ବାରମ୍ବାର ଆସିବାର ସମ୍ଭାବନା ରହିଛି, ତେଣୁ ସତର୍କତା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ସ୍ଥାନ ନଛାଡ଼ନ୍ତୁ।"

About The Author: Madhusudan Das