ଭାରତର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ । ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେଲେ ଧୀରଜ ସେଠ୍‌ । ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଧୀରଜ ସେଠ୍ । ବର୍ତ୍ତମାନ ସେ ସେନାର ଉପ-ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ଜଣେ ବିଶିଷ୍ଟ ଆର୍ମଡ୍ କର୍ପସ ଅଫିସର ଭାବେ ତାଙ୍କର ୩୯ ବର୍ଷରୁ ଅଧିକ ଦୀର୍ଘ ସାମରିକ ଅଭିଜ୍ଞତା ରହିଛି।

ଖଡକୱାସଲା ସ୍ଥିତ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୮୬ ମସିହା ଡିସେମ୍ବର ମାସରେ ତାଙ୍କୁ ଆର୍ମଡ୍ କର୍ପସରେ ସାମିଲ କରାଯାଇଥିଲା। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ନିରୋଧୀ ଅପରେସନରୁ ଆରମ୍ଭ କରି ମରୁଭୂମି ଅପରେସନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ସେ ସଫଳତାର ସହ ନେତୃତ୍ୱ ନେଇଛନ୍ତି। ସେ ଏକ ଆର୍ମଡ୍ ରେଜିମେଣ୍ଟ, ବ୍ରିଗେଡ୍ ଏବଂ ଆତଙ୍କବାଦ ନିରୋଧୀ ଫୋର୍ସର ମଧ୍ୟ କମାଣ୍ଡ୍ କରିଛନ୍ତି।

ଜଣେ ଲେଫ୍ଟନାଣ୍ଟ ଜେନେରାଲ୍ ଭାବରେ ସେ ସୁଦର୍ଶନ ଚକ୍ର କର୍ପସର ନେତୃତ୍ୱ ନେବା ସହ ଦିଲ୍ଲୀ ଏରିଆର ଜେନେରାଲ୍ ଅଫିସର କମାଣ୍ଡିଂ (GOC) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶେଷ କରି ସେ ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ ଏବଂ ସଦର୍ଣ୍ଣ କମାଣ୍ଡ - ଏହିପରି ଦୁଇଟି ଅପରେସନାଲ୍ କମାଣ୍ଡର ମୁଖ୍ୟ ରହିବାରେ ଅଳ୍ପ କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଜଣେ। ଏହା ବ୍ୟତୀତ ଆଙ୍ଗୋଲାରେ ଜାତିସଂଘର ମିଶନରେ ଅପରେସନ୍ ଅଫିସର ଏବଂ ସେନା ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ପଦବୀରେ ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସେନାର ଆଧୁନିକୀକରଣ ରୂପରେଖ ପ୍ରସ୍ତୁତ କରିବାରେ ମଧ୍ୟ ତାଙ୍କର ପ୍ରମୁଖ ଯୋଗଦାନ ରହିଛି।

ଲେଫ୍ଟନାଣ୍ଟ ଜେନେରାଲ୍ ସେଠ୍ ଜୁନିଅର କମାଣ୍ଡ କୋର୍ସରେ ଟପ୍ପର ହେବା ସହ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ସର୍ବଶ୍ରେଷ୍ଠ ଛାତ୍ର ଅଫିସର ପଦକ ହାସଲ କରିଥିଲେ। ସେ ପ୍ୟାରିସ୍ ଏବଂ ନ୍ୟାସନାଲ୍ ଡିଫେନ୍ସ କଲେଜ (NDC)ରେ ଉଚ୍ଚତର ତାଲିମ ମଧ୍ୟ ଶେଷ କରିଛନ୍ତି। ଗତ ୧ ଏପ୍ରିଲ ୨୦୨୬ ରେ ସେ ସେନାର ଉପ-ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନର ସୁରକ୍ଷା ଆହ୍ୱାନ ଏବଂ ସେନାର ଆଧୁନିକୀକରଣ ପ୍ରକ୍ରିୟା ଜାରି ରହିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସେନାଧ୍ୟକ୍ଷ ଭାବେ ତାଙ୍କର ଏହି ନିଯୁକ୍ତି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

About The Author: Madhusudan Das